ସାବଧାନ୍! ଏଥର ଶୀତରେ ରେକର୍ଡ ଭାଙ୍ଗିବ ଥଣ୍ଡା, ବୈଜ୍ଞାନିକ ଦେଲେଣି ଚେତାବନୀ

ନୂଆଦିଲ୍ଲୀ: ଚଳିତବର୍ଷ ଶୀତଋତୁରେ ଅନୁଭୂତ ହେବ ପ୍ରବଳ ଶୀତ । ଗତ ୨୫ ବର୍ଷର ରେକର୍ଡ ଭାଙ୍ଗିବ ଜାଡ଼ । ପ୍ରବଳ ଶୀତରେ ଥରିବ ସାରା ଭାରତ । ଏ ନେଇ AMU ଭୂଗର୍ଭ ବୈଜ୍ଞାନିକ ମଧ୍ୟ ସଚେତନ କରାଇ ସାରିଲେଣି । ପ୍ରଶାନ୍ତ ମହାସାଗରରେ ଚାଲିଥିବା ‘ଲା-ନୀନା’ର ସିଧାସଳଖ ପ୍ରଭାବ ଯୋଗୁଁ ଉତ୍ତର-ଭାରତରେ ଥଣ୍ଡାର ପରିମାଣ ବୃଦ୍ଧି ପାଇଛି । ଏହି ଜଳବାୟୁ ପରିବର୍ତ୍ତନ ଉତ୍ତର ଭାରତରେ ତାପମାତ୍ରାକୁ ସାମାନ୍ୟରୁ ଅଧିକ କମ୍ କରିପାରେ । ଯାହା ଫଳରେ ଚଳିତବର୍ଷ ଥଣ୍ଡାର ପରିମାଣ ବେଶ୍ ଅଧିକ ରହିପାରେ ବୋଲି କହିଛନ୍ତି ବୈଜ୍ଞାନିକ ।

AMU ଭୂଗୋଳ ବିଭାଗର ଆସୋସିଏଟ ପ୍ରଫେସର ଡା. ସଲେହା ଜମାଲ କହିଛନ୍ତି ଯେ, ଲା-ନୀନା ଯୋଗୁଁ ତାପମାତ୍ରା ହ୍ରାସ ହେବା ସହ ଉଚ୍ଚ ଚାପ ଜନିତ ଥଣ୍ଡାର ପ୍ରକୋପ ଆଣିବ । ସେ କହିଛନ୍ତି ଯେ, ଏହା ହେଉଛି ଏକ ଜଳବାୟୁ ଚକ୍ର, ଯାହା ମୌସମୀରେ ଅପ୍ରତ୍ୟାଶିତ ପରିବର୍ତ୍ତନ ଆଣିଥାଏ । ପ୍ରଥମେ ବର୍ଷା କମ୍ ହେବା ସହ ପରେ ବନ୍ୟାର ସ୍ଥିତି ସୃଷ୍ଟି ହୋଇଥିଲା । ଏହି ଅସ୍ଥିରତା ଥଣ୍ଡାରେ ମଧ୍ୟ ଦେଖିବାକୁ ମିଳିପାରେ ବୋଲି ସେ ଅନୁମାନ କରିଛନ୍ତି । ପ୍ରଫେସର ଜମାଲ କହିଛନ୍ତି ଯେ, ଲା-ନୀନାର ସିଧା ପ୍ରଭାବ ରବି ଏବଂ ଖରିଫ ଫସଲ ଉପରେ ମଧ୍ୟ ଦେଖାଯିବ । ମାର୍ଚ୍ଚ ଏବଂ ଏପ୍ରିଲ ଅସାମାନ୍ୟ ଥଣ୍ଡା ଏବଂ ବର୍ଷା ଯୋଗୁଁ କୃଷକଙ୍କୁ କ୍ଷତି ସହିବାକୁ ପଡ଼ିପାରେ ।

ଜମାଲଙ୍କ କହିବା ଅନୁସାରେ, ଅଲ-ନିନୋ ଏବଂ ଲା-ନୀନାର ପ୍ରଭାବ ସାଧାରଣତଃ ୯-୧୨ ମାସ ପର୍ଯ୍ୟନ୍ତ ରହିଥାଏ । କିନ୍ତୁ ଏମାନଙ୍କର କୌଣସି ସଠିକ ସମୟ ନଥାଏ । ଏହି ଚକ୍ର ପ୍ରତ୍ୟେକ ୨ରୁ ୭ ବର୍ଷରେ ଆସିଥାଏ ଏବଂ ଏହାର ପ୍ରଭାବ ପୃଥିବୀର ବିଭିନ୍ନ ଅଂଶରେ ଜଳବାୟୁକୁ ପ୍ରଭାବିତ କରିଥାଏ । ବିଶେଷ କରି ଭାରତରେ ମନସୁନ ପ୍ରଶାନ୍ତ ମହାସାଗରର ଜଳବାୟୁ ଉପରେ ନିର୍ଭର କରିଥାଏ । ପ୍ରଶାନ୍ତ ମହାସାଗରରେ ଜଳବାୟୁ ପରିବର୍ତ୍ତନ ଭାରତର ମୌସୁମୀରେ ପରିବର୍ତ୍ତନ ଆଣିଥାଏ ।