ଭୁବନେଶ୍ୱର- ରାଜଧାନୀର ଏକ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ପଟିଆସ୍ଥିତ ଏକ ହଷ୍ଟେଲରେ ଏମିତି ଦୁଃଖଦ ଘଟଣା ଘଟିଯାଇଛି । ମୃତ ଛାତ୍ରୀଙ୍କ ଘର କଟକ ସାଲେପୁରରେ । ସେ ପଟିଆର ଏକ କୋଚିଂ ସେଣ୍ଟରରେ ମେଡିକାଲ ନାମଲେଖା ପାଇଁ କୋଚିଂ ନେଉଥିଲେ । ଆଜି ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ପୋଲିସ ଖବର ପାଇ ଛାତ୍ରୀଙ୍କ ମୃତଦେହ ଜବତ କରି ତଦନ୍ତ ଚଳାଇଛି ।
ସୂଚନା ମୁତାବକ, ସାଲେପୁରର ଯୁକ୍ତ ୨ ବିଜ୍ଞାନ ଛାତ୍ରୀ ରାଜଧାନୀରେ ମେଡିକାଲ କୋଚି ନେଉଥିଲେ । ସେ ସେହି କୋଚିଂ ସେଣ୍ଟରର ହଷ୍ଟେଲରେ ରହୁଥିଲେ । କିନ୍ତୁ ଆଜି ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ଛାତ୍ରୀଙ୍କ ମୃତ୍ୟୁ ପରେ ପରିବାର ଆଣିଛି କୋଚିଂ ସେଣ୍ଟର ବିରୋଧରେ ଅଭିଯୋଗ । ହଷ୍ଟେଲରେ ଛାତ୍ରୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ । ଏଥିସହ ଛାତ୍ରୀଙ୍କୁ ରାଗିଂ କରୁଥିବା ଛାତ୍ରୀ ଘର ଲୋକଙ୍କୁ ଜଣାଇଥିଲେ ବୋଲି ଅଭିଯୋଗ କରିଛନ୍ତି ।ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପାଠାଇବା ସହ ପରିବାରର ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛି ।
ତେବେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ବୃଦ୍ଧିପାଇବାକୁ ନେଇ ଚିନ୍ତା ପ୍ରକଟ କରୁଛନ୍ତି ବୁଦ୍ଧିଜୀବୀ । ଅନେକ ସମୟରେ ପାଠକୁ ଚାପ ପାଇଁ ପିଲାମାନେ ଜୀବନ ହାରିବାକୁ ନିଷ୍ପତ୍ତି ନେଉଥିବା ବେଳେ ଅନେକ ପ୍ରେମରେ ବିଫଳତା ପାଇଁ ମଧ୍ୟ ଜୀବନ ହାରୁଛନ୍ତି । ଏମିତି କି, ପରିବାର ଲୋକଙ୍କ ଦ୍ୱାରା ସେମାନଙ୍କ କୌଣସି ଦାବି ପୂରଣ ନ ହେବାକୁ ନେଇ ମଧ୍ୟ ଏମିତି ପଦକ୍ଷେପ ନେଉଛନ୍ତି ଛାତ୍ର, ଛାତ୍ରୀ । ତେଣୁ ଶିକ୍ଷାନୁଷ୍ଠାନରେ ପିଲାଙ୍କ କାଉନସିଲିଂ ପାଇଁ ବ୍ୟବସ୍ଥା କରିବା ଜରୁରୀ ବୋଲି ସାମାଜିକ କର୍ମୀ ଅନୁଭବ କରୁଛନ୍ତି ।