ନୂଆଦିଲ୍ଲୀ: ମହିଳା ଏବଂ ପୁରୁଷଙ୍କ ବିବାହର ନ୍ୟୁନତମ ବୟସରେ ଅନ୍ତର ରହିବା ଏକ ପିତୃସତ୍ତାତ୍ମକ ବ୍ୟବସ୍ଥାର ଏକ ସଂକେତ । ଆହ୍ଲାବାଦ ହାଇକୋର୍ଟ ଏକ ମାମଲାର ଶୁଣାଣି କରିବା ସମୟରେ ଏଭଳି ଟିପ୍ପଣୀ କରିଛନ୍ତି । ଅଦାଲତ କହିଛନ୍ତି ଯେ, ଭାରତରେ ପୁରୁଷ ବିବାହର ସର୍ବନିମ୍ନ ବୟସ ୨୧ ବର୍ଷ ଏବଂ ମହିଳାଙ୍କ ପାଇଁ ଏହା ୧୮ ବର୍ଷ ରହିଛି । ଏହା କେବଳ ଏକ ପିତୃସତ୍ତାତ୍ମକ ବ୍ୟବସ୍ଥାର ସଂକେତ, ଅନ୍ୟ କିଛି ନୁହେଁ । ଜଷ୍ଟିସ ସୌମିତ୍ର ଦୟାଲ ସିଂହ ଏବଂ ଜଷ୍ଟିସ ଡି. ରମେଶଙ୍କୁ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ପୁରୁଷଙ୍କ ବିବାହ ପାଇଁ ୩ ବର୍ଷର ଅତିରିକ୍ତ ସମୟ ଦିଆଯାଉଛି । କାରଣ ସେମାନେ ପାଠପଢିବା ସହ ଆର୍ଥିକ ସ୍ୱତନ୍ତ୍ରତା ହାସଲ କରିପାରିବେ । ମହିଳାଙ୍କ ପାଇଁ ଏହା ସମ୍ପୂର୍ଣ୍ଣ ବିପରୀତ ହୋଇଥାଏ ଏବଂ ସେମାନେ ଏହି ସୁବିଧା ପାଉ ନଥିବା ଅଦାଲତ କହିଛନ୍ତି ।
ଏହାପରେ ଖଣ୍ଡପୀଠ କହିଛନ୍ତି ଯେ, ପୁରୁଷଙ୍କୁ ବିବାହ ପାଇଁ ୩ ବର୍ଷ ଅଧିକ ସମୟ ଦେବା ଏବଂ ମହିଳାଙ୍କୁ ଏଥିରୁ ବଞ୍ଚିତ କରିବା ସମାନତାର ବିପରୀତ ହୋଇଥାଏ । ଏହା ପିତୃସତ୍ତାତ୍ମକ ବ୍ୟବସ୍ଥାର ଏକ ସଂକେତ ଏବଂ ଏହାକୁ ବର୍ତ୍ତମାନର ଆଇନ ମଧ୍ୟ ପ୍ରୋତ୍ସାହନ ଦେଉଛି । ବିବାହରେ ପୁରୁଷଙ୍କ ବୟସ ଅଧିକ ରହିବା ଉଚିତ ଏବଂ ସେ ଆର୍ଥିକ ବ୍ୟବସ୍ତା ସମ୍ଭାଳିବେ ବୋଲି ଏହି ବ୍ୟବସ୍ଥାରେ ମାନି ନେଇଛନ୍ତି । ସେହିପରି ମହିଳାଙ୍କୁ ସେକେଣ୍ଡ ପାର୍ଟି ରହିବେ ଏବଂ ସେମାନଙ୍କୁ ପୂର୍ବ ଅପେକ୍ଷା ସ୍ୱାଧୀନତା ମିଳିନଥାଏ । ଏହାଦ୍ୱାରା କୌଣସି ପ୍ରକାରର ସମାନତା ରହି ନଥାଏ ।
ଫ୍ୟାମିଲି କୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ସ୍ୱାମୀ ଆବେଦନ କରିଥିବା ଏକ ମାମଲାର ଶୁଣାଣି ସମୟରେ କୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି। ସମ୍ପୃକ୍ତ ବ୍ୟକ୍ତିଙ୍କ ବିବାହ ରଦ୍ଦ କରିବାକୁ ଫ୍ୟାମିଲି କୋର୍ଟ ମନା କରିଦେଇଥିଲେ। ବ୍ୟକ୍ତି ଜଣକ କହିଥିଲେ ଯେ, ତାଙ୍କର ବାଲ୍ୟ ବିବାହ ହୋଇଥିବା ବେଳେ ସେ ଏହି ବିବାହରେ ରାଜି ନୁହଁନ୍ତି । ସେ କହିଥିଲେ ଯେ, ସେ ୨୦୦୪ ରେ ବିବାହ କରିଥିଲେ ଏବଂ ସେହି ସମୟରେ ତାଙ୍କୁ ମାତ୍ର ୧୨ ବର୍ଷ ହୋଇଥିଲା। କେବଳ ଗୋଟିଏ ବର୍ଷ ହୋଇଥିବା ବେଳେ ପତ୍ନୀଙ୍କ ବୟସ ୯ ବର୍ଷ ଥିଲା । ୨୦୧୩ ରେ ଏହି ବ୍ୟକ୍ତି ବାଲ୍ୟ ବିବାହ ନିଷେଧ ଆଇନ ଅନୁଯାୟୀ, ବିବାହକୁ ପ୍ରତ୍ୟାଖ୍ୟାନ କରିବାକୁ ଏକ ଆବେଦନ କରିଥିଲେ। ବ୍ୟକ୍ତି ଯେତେବେଳେ ମାମଲା ଦାୟର କରିଥିଲେ ମଧ୍ୟ ତାଙ୍କ ବୟସ ମାତ୍ର ୧୦ ବର୍ଷ, ୧୦ ମାସ ୨୮ ଦିନ ଥିଲା।
ଏହି ନିୟମ ଅନୁସାରେ, ବାଲ୍ୟ ବିବାହ କ୍ଷେତ୍ରରେ ଦମ୍ପତିଙ୍କ ମଧ୍ୟରୁ କେହି ଜଣେ ଚାହିଁଲେ ବିବାହ ବିଚ୍ଛେଦ ପାଇଁ ଆବେଦନ କରିପାରିବେ । ସେହିପରି ବାଲ୍ୟବିବାହରେ ଉଭୟ ସାବାଳକ ହେବା ପରେ ଏଭଳି ଆବେଦନ କଲେ ମଧ୍ୟ ଏହାକୁ ଗ୍ରହଣ କରାଯାଇ ପାରିବ । କିନ୍ତୁ ଏହି ମାମଲାରେ ବ୍ୟକ୍ତିଜଣକ ଆବେଦନ କରିବା ବେଳେ ଏହାକୁ ବିରୋଧ କରିଥିଲେ । ସେ କହିଥିଲେ ଯେ, ସ୍ୱାମୀ ବିବାହ ଖାରଜ କରିବା ପାଇଁ ଆବେଦନ କରିବା ସମୟରେ ସେ ସାବାଳକ ଥିଲେ । ତାଙ୍କ ବୟସ ୧୮ ବର୍ଷରୁ ଅଧିକ ହୋଇ ସାରିଥିଲା ।