RCB ନା PBKS… ପୁରୁଣା ଦଳକୁ ଫେରିବେ ରାହୁଲ! IPL-2025ରେ କାହାର ହେବେ ଷ୍ଟାର କ୍ରିକେଟର?

ଓଡ଼ିଶା ଭାସ୍କର: ଆଇପିଏଲ-୨୦୨୫ ପାଇଁ ନଭେମ୍ବର ୨୪ ତାରିଖକୁ ରହିଛି ଅପେକ୍ଷା । ୨୪ ଏବଂ ୨୫ ତାରିଖରେ ନିର୍ମାଣ ହେବ ଆଇପିଏଲ-୨୦୨୫ର ନୂଆ ଦଳ । ମେଗା ଅକ୍ସନରେ ବିକ୍ରି ହେବାକୁ ପ୍ରସ୍ତୁତ ରହିଛନ୍ତି ୧୫୭୪ ଜଣ ଖେଳାଳି । ଭାରତ, ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ସମେତ ବିଭିନ୍ନ ଦେଶରୁ ଖେଳାଳି ମାନେ ଆଇପିଏଲ ପାଇଁ ରେଜିଷ୍ଟ୍ରେସନ କରିଛନ୍ତି । କିନ୍ତୁ ଅକ୍ସନରେ ସବୁଠାରୁ ବଡ଼ ନାଁ ରହିଛି କେ.ଏଲ ରାହୁଲ, ଋଷଭ ପନ୍ତ ଏବଂ ଶ୍ରେୟସ ଆୟର । ଆଗାମୀ ସିଜନ ପୂର୍ବରୁ କେ.ଏଲ ରାହୁଲଙ୍କୁ ରିଲିଜ କରିଛି ଲକ୍ଷେ୍ନø ସୁପର ଜିଆଣ୍ଟସ । ତେଣୁ ରାହୁଲ କେଉଁ ଦଳରେ ସାମିଲ ହେବେ, ସେ ନେଇ ଲାଗି ରହିଛି ଚର୍ଚ୍ଚା । ତେବେ ରାହୁଲ ଆସନ୍ତା ସିଜନରେ ନିଜ ପୁରୁଣା ଦଳକୁ ଫେରିବେ ବୋଲି ଆଶା କରାଯାଉଛି ।

ଆଗାମୀ ଆଇପିଏଲ ସିଜନ ପାଇଁ ୫ଟି ଦଳ ନିଜ ନିଜର ଅଧିନାୟକଙ୍କୁ ରିଲିଜ କରିଛି । ଏହି ତାଲିକାରେ ରାହୁଲଙ୍କ ପୂର୍ବତନ ଆଇପିଏଲ ଦଳ ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁ ଏବଂ ପଞ୍ଜାବ କିଙ୍ଗସ ମଧ୍ୟ ସାମିଲ ରହିଛନ୍ତି । ତେଣୁ ରାହୁଲଙ୍କୁ ଅଧିନାୟକ ଭାବରେ ୫ଟି ଯାକ ଫ୍ରାଞ୍ଚାଇଜି ନିଜ ଦଳରେ ସାମିଲ କରିବାକୁ ଚେଷ୍ଟା କରିବେ । ରାହୁଲ ଅକ୍ସନ ପାଇଁ ନିଜ ବେସ୍ ପ୍ରାଇସ ୨ କୋଟି ରଖିଥିବା ବେଳେ ସେ ଏକ ବଡ଼ ଆମାଉଣ୍ଟରେ ବିକ୍ରି ହେବାର ସମ୍ଭାବନା ରହିଛି ।

ତେବେ ଆଗାମୀ ସିଜନ ପାଇଁ ପଞ୍ଜାବ କିଙ୍ଗସ ସର୍ବାଧିକ ପର୍ସ ମନି ୧୧୦.୫ କୋଟି ଟଙ୍କା ସହ ଅକ୍ସନ ମଇଦାନକୁ ଓହ୍ଲାଇବ । ଦଳକୁ ଅଧିକ ଖେଳାଳି କିଣିବାକୁ ଥିଲେ ମଧ୍ୟ ରାହୁଲଙ୍କୁ ସାମିଲ କରିବା ପାଇଁ ଚେଷ୍ଟା କରିବ ପଞ୍ଜାବ । ତେବେ ରାହୁଲଙ୍କ ବ୍ୟତୀତ ଶ୍ରେୟସ ଆୟର ଏବଂ ଋଷଭ ପନ୍ତ ୨ ବିକଳ୍ପ ଅଧିନାୟକ ରହିଛନ୍ତି । କିନ୍ତୁ ରାହୁଲ ଏହି ଦଳ ସହିତ ପୂର୍ବରୁ(୨୦୧୮-୨୦୨୧) ସାମିଲ ଥିବା ବେଳେ ୨ ବର୍ଷ ଦଳର ନେତୃତ୍ୱ ମଧ୍ୟ ନେଇ ସାରିଛନ୍ତି । ତେଣୁ ପୁଣିଥରେ ସେ ଏହି ଦଳକୁ କମବ୍ୟାକ କରିପାରନ୍ତି ।

ସେହିପରି ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁ ମଧ୍ୟ ରାହୁଲଙ୍କୁ ନିଜ ଦଳକୁ ଫେରାଇ ଆଣିବାକୁ ଚେଷ୍ଟା କରିବ । ଫାଫ୍ ଡୁପ୍ଲେସିସଙ୍କୁ ଦଳ ରିଲିଜ କରିବା ପରେ ଜଣେ ଦମଦାର ଓପନରଙ୍କୁ ଦଳରେ ସାମିଲ କରିବାକୁ ଟାର୍ଗେଟ କରିଛି ଆରସିବି । ଏହାବ୍ୟତୀତ ଦଳ ଜଣେ ନୂଆ ଅଧିନାୟକଙ୍କ ସନ୍ଧାନରେ ମଧ୍ୟ ରହିଛି । ଉଭୟ ଚରିତ୍ର ପାଇଁ ରାହୁଲ ପରଫେକ୍ଟ ବିକଳ୍ପ ହୋଇପାରନ୍ତି । ତେଣୁ ବିରାଟ ପୁଣିଥରେ ରାହୁଲଙ୍କୁ ଦଳରେ ସାମିଲ କରିବାକୁ ଚେଷ୍ଟା ନିଶ୍ଚୟ କରିବେ । ରାହୁଲ ୨୦୧୩ ମସିହାରେ ଆରସିବି ପକ୍ଷରୁ ଆଇପିଏଲ ଡେବ୍ୟୁ କରିଥିଲେ । ଏହାପରେ ସେ ପୁଣିଥରେ ୨୦୧୬ ମସିହାରେ ଦଳକୁ ଫେରିଥିଲେ । ତେଣୁ ଆସନ୍ତା ସିଜନରେ ସେ ପୁଣିଥରେ ଆରସିବିରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଛି ।