Veg Thali ଉପରେ ମହଙ୍ଗା ମାଡ଼, କାର୍ତ୍ତିକ ମାସରେ ବଢୁଛି ଦାମ୍: ସାକାହାରୀ ଖାଦ୍ୟରେ ୨୦% ମୂଲ୍ୟ ବୃଦ୍ଧି

ଓଡ଼ିଶା ଭାସ୍କର: ବିଭିନ୍ନ ପନିପରିବାର ମୂଲ୍ୟ ବଢିବା ସାଙ୍ଗକୁ ବଢୁଛି ସାକାହାରୀ ଖାଦ୍ୟର ଦାମ୍ । କେବଳ ସାକାହାରୀ ନୁହେଁ, ମାଂସାହାରୀ ଖାଦ୍ୟର ମୂଲ୍ୟ ୁପରେ ମଧ୍ୟ ମହଙ୍ଗା ମାଡ଼ର ପ୍ରଭାବ ଦେଖାଯାଇଛି । ସାଧାରଣ ଲୋକଙ୍କ ପାଇଁ ସାଧା ଥାଳି ଖାଇବା ପାଇଁ ପୂର୍ବ ଅପେକ୍ଷା ପ୍ରାୟ ୨୦% ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି । କାର୍ତ୍ତିକ ମାସ ପାଇଁ ସାକାହାରୀ ଖାଦ୍ୟର ଚାହିଦା ବଢିଥିବା ବେଳେ ଏହାର ମୂଲ୍ୟବୃଦ୍ଧି ଗ୍ରାହକଙ୍କୁ ଚିନ୍ତାରେ ପକାଇ ଦେଇଛି । ପନିପରିବାର ବର୍ଦ୍ଧିତ ଦର ଏବଂ କିଛି ସାମଗ୍ରୀର ଅଭାବ ଏହି ମୂଲ୍ୟବୃଦ୍ଧିର ପ୍ରମୁଖ କାରଣ ହୋଇପାରେ ।

ରିପୋର୍ଟ ଅନୁସାରେ, ଅକ୍ଟୋବର ମାସରେ ବୃଦ୍ଧି ପାଇଥିବା ପରିବା ଦର ସାକାହାରୀ ତଥା ମାଂସାହାରୀ ତାଳିର ଦାମ୍ ମଧ୍ୟ ବୃଦ୍ଧି କରିଛି । ଘରେ ତିଆରି ହେଉଥିବା ସାକାହାରୀ ଥାଳିର ଦାମରେ ୨୦% ବୃଦ୍ଧି ରେକର୍ଡ ହୋଇଥିବା ବେଳେ ମାଂସାହାରୀ ଥାଳି ୫% ଅଧିକ ମୂଲ୍ୟରେ ପହଞ୍ଚିଛି । ପରିବା ଦର ବୃଦ୍ଧି ଏହାର ପ୍ରମୁଖ କାରଣ କୁହାଯାଇପାରେ ।

ଟମାଟୋ, ଆଳୁ, ପିଆଜ ଇତ୍ୟାଦି ମୂଲ୍ୟ ବିଭିନ୍ନ କାରଣ ଯୋଗୁଁ ବୃଦ୍ଧି ପାଇଛି । ପ୍ରମୁଖ ଉତ୍ପାଦକ ରାଜ୍ୟରେ ସେପ୍ଟେମ୍ବରରେ ଅଧିକ ବର୍ଷା ଯୋଗୁଁ ଖରିଫ ପିଆଜ ଉତ୍ପାଦନରେ ବିଳମ୍ବ ହୋଇଥିଲା । ସେହିପରି ଫେଷ୍ଟିଭ ସିଜନ ସମୟରେ ଟମାଟୋ ଫସଲର କ୍ଷୟକ୍ଷତି ହୋଇଥିବା ବେଳେ କୋଲ୍ଡ ଷ୍ଟୋରେଜରେ ଆଳୁର ଅଭାବ ଯୋଗୁଁ ଏହାର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି । ପ୍ରବଳ ବର୍ଷା ଯୋଗୁଁ ଅକ୍ଟୋବର ମାସରେ ଆଳୁ ୪୬% ଏବଂ ପିଆଜ ଦର ୫୧% ବୃଦ୍ଧି ପାଇଛି ।

ଅନ୍ୟ ପକ୍ଷରେ ମାଂସାହାରୀ ଥାଳିର ଦାମ ବର୍ଷକ ମଧ୍ୟରେ କମ୍ ରେକର୍ଡ ହୋଇଥିଲା । ବର୍ତ୍ତମାନ ଏଥିରେ ମଧ୍ୟ ୫% ଅଧିକ ମୂଲ୍ୟବୃଦ୍ଧି ହୋଇଛି । ନନ୍-ଭେଜ୍ ଥାଳି ପାଇଁ ଏହି ମାସରେ ବ୍ରଏଲର ମୂଲ୍ୟରେ ସ୍ଥିରତାର ଅନୁମାନ ପରେ ମୂଲ୍ୟବୃଦ୍ଧି ଉପରେ ରୋକ ଲାଗିଥିଲା । ମାଂସାହାରୀ ଥାଳି ପାଇଁ ବ୍ରଏଲରର ମୂଲ୍ୟ ଗତବର୍ଷ ତୁଳନାରେ ପ୍ରାୟ ୯ ପ୍ରତିଶତ ମୂଲ୍ୟହ୍ରାସ ହୋଇଥିବା ଅନୁମାନ କରାଯାଉଛି । ତେବେ ଏହି ଅନୁସାରେ ଦରବୃଦ୍ଧି କମ୍ ରହିଛି ।