ଓଡ଼ିଶା ଭାସ୍କର: ଐତିହାସିକ ବାଲିଯାତ୍ରା ପାଇଁ ସଜେଇ ହେଲାଣି କଟକ ସହର । ଏଥରର ବାଲିଯାତ୍ରା ସମ୍ପୂର୍ଣ୍ଣ ନିଆରା ହେବାକୁ ଯାଉଛି । ନୂଆ ଥିମ ଏବଂ ନୂଆ ଆଇଡିଆରେ ଦର୍ଶକଙ୍କୁ ବାଲିଯାତ୍ରା ଉପହାର ଦିଆଯିବାକୁ ବ୍ୟୃବସ୍ଥା କରାଯାଉଛି । ଏଥର ବାଲିଯାତ୍ରା ପଡ଼ିଆରେ ଅନୁଭବ ହେବ ହଲିଉଡ ସିନେମା “ଅବତାର” ଦୁନିଆର ଅନୁଭୁତି । କାଚର ଘର ଭିତରେ ଛାଇ ଆଲୁଅର ଖେଳ ସହ ଏକ ଅଲଗା ଦୁନିଆର ସ୍ପର୍ଶ ଅନୁଭବ କରିବେ ଦର୍ଶକ । କାଚ କାନ୍ଥ ଭିତରେ ବୁଲିବୁଲି ଏକ ନୂଆ ଦୁନିଆକୁ ଦେଖିବେ ଦର୍ଶକମାନେ । କଟକ ଇନ୍ କଟକ ଏବଂ ଓରମାସ୍ ମଝିରେ ରହୁଥିବା ଖୋଲା ସ୍ଥାନରେ “ଇନ୍ଫିନିଟି ୱାର୍ଲଡ” କୁ ସ୍ଥାନିତ କରାଯାଉଛି ।
୬୦ ଫୁଟରେ ୮୦ଫୁଟର ଆୟତ କ୍ଷେତ୍ରରେ ଏହାକୁ ଖଞ୍ଜାଯିବ । ଏବଂ ଏହାର ଉଚତା ରହିବ ୨୫ ଫୁଟ୍ । ହଲିଉଡ୍ ସିନେମା ‘ଅବତାର’ରେ ପ୍ରଦର୍ଶିତ ହୋଇଥିବା ଏକ ଭିନ୍ନ ଦୁନିଆ ଭଳି ଲୋକେ ଅନୁଭବ ସାଉଁଟିବେ ବୋଲି କହିଛନ୍ତି ଏହାକୁ ବାଲିଯାତ୍ରା ପଡ଼ିଆକୁ ଆଣୁଥିବା ବ୍ୟବସାୟୀ । ତେବେ ଏହାର ଟିକଟ ଦର ପ୍ରାୟ ୧୫୦ରୁ ୨୦୦ ଟଙ୍କା ଭିତରେ ଦର ରହିବ ବୋଲି ଆକଳନ କରାଯାଉଛି ।
ସେପଟେ ଓଡ଼ିଆ ଚଳଚ୍ଚିତ୍ର ମାଧ୍ୟମରେ ଓଡ଼ିଆ ଅସ୍ମିତା ପ୍ରସଙ୍ଗ ରଖି ପ୍ରଶାସନ ତରଫରୁ ତଳ ବାଲିଯାତ୍ରା ପଡିଆର କଟକ ଇନ୍ କଟକ ପରିସରରେ ହେବାକୁ ଯାଉଛି ଓଡ଼ିଆ ଚଳଚ୍ଚିତ୍ର ପ୍ରଦର୍ଶନୀ । ଏଥିରେ ପ୍ରଦର୍ଶିତ ହେବ ୯ ଦଶନ୍ଧିର ଓଡ଼ିଆ ଚଳଚ୍ଚିତ୍ର କ୍ରମ ବିକାଶର ଚିତ୍ର । ଓଡ଼ିଆ ଚଳଚ୍ଚିତ୍ରର କ୍ରମବିକାଶର ଟିକିନିକି ଚିତ୍ରକୁ ଏଠାରେ ସ୍ଥାନିତ କରାଯିବ । ଓଡ଼ିଆ ଚଳଚ୍ଚିତ୍ର ଉତ୍ଥାନରୁ ନେଇ ବର୍ତ୍ତମାନ ସମୟ ଯାଏ ଏକ ଫଟୋଚିତ୍ର ପ୍ରଦର୍ଶନୀ କରାଯିବ । ଯେଉଁଥିରେ ପ୍ରସିଦ୍ଧ କଳାକାର, ସଂଗୀତ ନିର୍ଦ୍ଦେଶକ, ନିର୍ଦ୍ଦେଶକଙ୍କ ଫଟୋଚିତ୍ର ପ୍ରଦର୍ଶିତ ହେବ । ପ୍ରାୟ ୧୦୦ ଜଣ ଦର୍ଶକ ଏକାସଙ୍ଗେ ବସି ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ଦେଖିବାକୁ ସୁଯୋଗ ପାଇବେ । ଏହା ବ୍ୟତିତ ସ୍କ୍ରିନରେ ପୁରୁଣା କ୍ଲାସିକ୍ ଓଡ଼ିଆ ଫିଲ୍ମର ପ୍ରଦର୍ଶନ କରାଯିବ ସହ ଲୋକପ୍ରିୟ କଳାକାରଙ୍କ ଶ୍ରେଷ୍ଠ ସଂଳାପ ଗୁଡିକ ଧାଡ଼ି ଧାଡ଼ି ହେଇ ଲେଖାଯିବ । କେବଳ ସେତିକି ନୁହେଁ କାରାଓକେରେ ଓଡ଼ିଆ ଗୀତର ଧୂନ ବାଜୁଥିବ ଏବଂ ଯେକେହି ନିଜ ସ୍ବରକୁ ଯୋଡ଼ିପାରି ଗୀତକୁ ଅନୁଭବ କରିପାରିବା ଭଳି ବ୍ୟବସ୍ଥା ହୋଇଛି ।