ୟୁରୋପୀୟ ଏଜେନ୍ସିର ଦାବି: ରେକର୍ଡ ଭାଙ୍ଗୁଛି ତାତି, 2024 ସବୁଠୁ ଉତ୍ତପ୍ତ ବର୍ଷ

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନର ପ୍ରଭାବ ବର୍ତ୍ତମାନ ସମଗ୍ର ବିଶ୍ୱରେ ଅଧିକ ଦେଖାଯାଉଛି । କେଉଁଠି ଅଦିନିଆ ଶୀତ ହେଉଛି ତ ଆଉ କେଉଁଠି ମରୁଭୂମୀରେ ବରଫ ପଡୁଛି । ଏଜେନ୍ସି ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, 2024 ସବୁଠାରୁ ଉତ୍ତପ୍ତ ବର୍ଷ ହେବ । ଏହା ପ୍ରଥମ ଥର ହେବ ଯେ ହାରାହାରି ତାପମାତ୍ରା ପୂର୍ବ ଶିଳ୍ପ ସ୍ତରଠାରୁ 1.5 ଡିଗ୍ରୀ ସେଲସିୟସ ହେବ । ଅକ୍ଟୋବର ପରେ ଚଳିତ ବର୍ଷ ସବୁଠାରୁ ଉତ୍ତପ୍ତ ହେବା ପରେ କପର୍ନିକସ୍ ଏହି ଭବିଷ୍ୟବାଣୀ କରିଥିଲେ । ନଭେମ୍ବର 11 ରେ ଆଜେରବାଇଜାନର ବାକୁ ଠାରେ ହେବାକୁ ଥିବା ମିଳିତ ଜାତିସଂଘର ଜଳବାୟୁ ସମ୍ମିଳନୀ ପୂର୍ବରୁ ୟୁରୋପର ଜଳବାୟୁ ଏଜେନ୍ସିର ଘୋଷଣା ବୈଜ୍ଞାନିକଙ୍କୁ ଚିନ୍ତାରେ ପକାଇଦେଇଛି ।

କୋପରନିକସ୍ ଜଳବାୟୁ ପରିବର୍ତ୍ତନ ସେବାର ଡେପୁଟି ଡାଇରେକ୍ଟର ସାମନ୍ତ ବରଗସ୍ କହିଛନ୍ତି ଯେ 2024 ର 10 ମାସ ପରେ ଏହା ନିଶ୍ଚିତ ଯେ 2024 ରେକର୍ଡର ସବୁଠାରୁ ଉତ୍ତପ୍ତ ବର୍ଷ ହେବ । ଏହା ସବୁ ରେକର୍ଡ ଭାଙ୍ଗିବ । ବିଶ୍ୱ ତାପମାତ୍ରା ବୃଦ୍ଧି ପାଇଁ ଏହା ଏକ ନୂଆ ରେକର୍ଡ ହେବ ଏବଂ COP29 ଶିଖର ସମ୍ମିଳନୀ ପୂର୍ବରୁ ଜଳବାୟୁ ପରିବର୍ତ୍ତନ ସଂପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେବା ଉଚିତ୍ । ୟୁରୋପୀୟ ଏଜେନ୍ସିର ବୈଜ୍ଞାନିକମାନେ ଗତ ମାସରେ କହିଥିଲେ ଯେ ଅକ୍ଟୋବର 2024 ସମଗ୍ର ବିଶ୍ୱରେ ଦ୍ୱିତୀୟ ଉତ୍ତପ୍ତ ଅକ୍ଟୋବର ଅଟେ । ଏହାପୂର୍ବରୁ ଅକ୍ଟୋବର 2023 ମଧ୍ୟ ଅତ୍ୟଧିକ ଗରମ ଥିଲା, ଯେତେବେଳେ ହାରାହାରି ଭୂପୃଷ୍ଠର ତାପମାତ୍ରା 15.25 ଡିଗ୍ରୀ ସେଲସିୟସରେ ରେକର୍ଡ କରାଯାଇଥିଲା । ଯାହା 1991 ରୁ 2020 ପର୍ଯ୍ୟନ୍ତ ଅକ୍ଟୋବରର ହାରାହାରି ତାପମାତ୍ରା ଠାରୁ 0.80 ଡିଗ୍ରୀ ସେଲସିୟସ୍ ଅଧିକ ଥିଲା । କେବଳ ଏତିକି ନୁହେଁ, 2024 ର ପ୍ରଥମ 10 ମାସରେ (ଜାନୁଆରୀରୁ ଅକ୍ଟୋବର) ବିଶ୍ବର ହାରାହାରି ତାପମାତ୍ରା 1991-2020 ମଧ୍ୟରେ ସମାନ ସମୟ ତୁଳନାରେ 0.71 ଡିଗ୍ରୀ ସେଲସିୟସ୍ ଅଧିକ ଥିଲା । ସେହି ସମୟରେ, ଜାନୁଆରୀ-ଅକ୍ଟୋବର 2023 ତୁଳନାରେ, ଚଳିତ ବର୍ଷ ସମାନ ଅବଧିରେ ତାପମାତ୍ରା 0.16 ଡିଗ୍ରୀ ସେଲସିୟସ୍ ଅଧିକ ଥିଲା ।