ସିଙ୍ଗଡା ଖାଇଥିବା ଲୋକଙ୍କୁ ଖୋଜି ବାହାର କଲା ସିଆଇଡି, ରାଜ୍ୟ ସରକାରଙ୍କୁ ଭାଜପାର ନିନ୍ଦା

ସିମଲା: ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ସରକାରଙ୍କ କାର୍ଯ୍ୟକୁ ନେଇ ରାଜନୈତିକ ମାହୋଲରେ ଜୋର୍ ଚର୍ଚ୍ଚା ଆରମ୍ଭ ହୋଇଛି । ଭାଜପା କହିଛି ରାଜ୍ୟ ସରକାରଙ୍କୁ ରାଜ୍ୟର ବିକାଶ ଚିନ୍ତା ନାହିଁ । ତାଙ୍କୁ କେବଳ ଖିଆପିଆ ଚିନ୍ତା ଘାରିଛି । ଲୋକଙ୍କ ଦୁଃଖ କଷ୍ଟର ସମାଧାନ କରିବା ବଦଳରେ ସରକାରଙ୍କୁ କିନ୍ତୁ ସିଙ୍ଗଡା ଚିନ୍ତା ବେଶୀ । ପ୍ରକୃତ କଥାଟି ହେଲା, ଗତ ୨୧ ତାରିଖରେ ରାଜ୍ୟ ସିଆଇଡି ଅଫିସରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଯେଉଁଥିରେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ମଧ୍ୟ ସାମିଲ ହୋଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ପାଇଁ ବାହାରୁ ସିଙ୍ଗଡା ଓ କେକ୍ ଅଣାଯାଇଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀ ଖାଇବା ସମୟରେ ଖାଦ୍ୟ ନ ଥିଲା । ଯାହା ପରେ ସିଆଇଡି କର୍ତ୍ତୃପକ୍ଷ ଘଟଣାର ଯାଞ୍ଚ ଆରମ୍ଭ କରିଥିଲେ ।

ଭୁଲବସତଃ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଆସିଥିବା ସିଙ୍ଗଡା ଓ କେକ ସେଠାରେ ଉପସ୍ଥିତ ଷ୍ଟାଫମାନଙ୍କୁ ବଣ୍ଟାଯାଇଥିବା ପରବର୍ତ୍ତୀ ମୁହୂର୍ତ୍ତରେ ଜଣାପଡ଼ିଲା । ଏହି ଘଟଣାଟି ଏବେ ରାଜ୍ୟ ପ୍ରଶାସନିକ ସ୍ତରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସିଆଡି ରିପୋର୍ଟ ମୁତାବକ, ମୁଖ୍ୟମନ୍ତ୍ରୀଙ୍କ ପାଇଁ ଆସିଥିବା ଖାଦ୍ୟ ଜଣେ ମହିଳା ଅଧିକାରୀଙ୍କୁ ସର୍ଭ କରିବା ପାଇଁ ଦିଆଯାଇଥିଲା । କିନ୍ତୁ ସେ କାହାରିକୁ ନ ପଚାରି ସେ ଖାଦ୍ୟକୁ ଅନ୍ୟ ଷ୍ଟାଫଙ୍କ ମଧ୍ୟରେ ବାଣ୍ଟି ଦେଇଥିଲେ । ଘଟଣାଟିରେ ପ୍ରଶାସନିକ ତ୍ରୁଟି ଜଣାପଡୁଥିବାବେଳେ ସିଆଇଡି ରିପୋର୍ଟ ମୁତାବକ ଏହା ସରକାରୀ ବିରୋଧରୀ କାର୍ଯ୍ୟ । ଯାହାକୁ ନେଇ ଘଟଣାଟି ଏବେ ଗମ୍ଭୀର ରୂପ ଧାରଣ କଲାଣି । ଘଟଣା ସମ୍ପର୍କରେ ରାଜ୍ୟ ସରକାର ସିଆଇଡିକୁ ପଚରା ଉଚରା କରିବା ପରେ ସମାନ ଘଟଣା ଭବିଷ୍ୟତରେ ନ ଘଟିବା ଲାଗି ପରାମର୍ଶ ଦେଇଛନ୍ତି ।