ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପରାଜୟ ପରେ ଭାରତୀୟ ଦଳ ଉପରେ ଉଠିଛି ପ୍ରଶ୍ନ । ଏହାସହିତ କୋଚ୍ ଗୌତମ ଗମ୍ଭୀରଙ୍କ ଉପରେ ମଧ୍ୟ ଏକ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି । ଘରୋଇ ମାଟିରେ ନ୍ୟୁଜିଲାଣ୍ଡ ହାତରୁ ହ୍ୱାଇଟୱାସ ଘଟଣାକୁ ସହଜରେ ଗ୍ରହଣ କରିପାରି ନାହିଁ ବୋର୍ଡ କିମ୍ବା ଦର୍ଶକ । ତେଣୁ କୋଚ୍ ପଦରୁ ଗମ୍ଭୀରଙ୍କୁ ହଟାଇବା ପାଇଁ ବିଭିନ୍ନ ମହଳରୁ ଦାବି ହୋଇ ଆସୁଛି । ବର୍ତ୍ତମାନ କୋଚ୍ ଗମ୍ଭୀରଙ୍କ ପାଇଁ ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର ଗାଭାସ୍କର ଟ୍ରଫି(ଟେଷ୍ଟ ସିରିଜ) ଗୌତମ ଗମ୍ଭୀରଙ୍କ ପାଇଁ ଅଗ୍ନିପରୀକ୍ଷା ପାଲଟିଛି । ଏହି ସିରିଜର ଫଳାଫଳ ତାଙ୍କ ପଦବୀ ଉପରେ ବଡ଼ ପରିବର୍ତ୍ତନ କରିପାରେ ବୋଲି କୁହାଯାଇଛି ।
ଟିମ ଇଣ୍ଡିଆର ମୁଖ୍ୟ କୋଚ୍ ଗମ୍ଭୀରଙ୍କ କୋଚ୍ ପଦବୀ ଏବେ ବିପଦରେ ପଡ଼ିଛି । ଏହି ସିରିଜରେ ଦଳ ପରାସ୍ତ ହେଲେ, ଗୌତମ ଗମ୍ଭୀରଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ । ତେଣୁ ଗମ୍ଭୀରଙ୍କ ପାଇଁ ଏହି ସିରିଜ ଏକ ଅଗ୍ନିପରୀକ୍ଷା ବୋଲି କୁହାଯାଇଛି । ଏହି ସିରିଜରେ ଦଳ ଖରାପ ପ୍ରଦର୍ଶନ କଲେ, ଗୌତମ ଗମ୍ଭୀରଙ୍କୁ ଟେଷ୍ଟ କ୍ରିକେଟରେ ମୁଖ୍ୟ କୋଚ୍ ପଦରୁ ହଟାଇ ଦିଆଯାଇପାରେ । ବର୍ତ୍ତମାନ ସମସ୍ତ ଫର୍ମାଟରେ ଦଳର କୋଚ୍ ଭୂମିକାରେ ରହିଥିବା ଗମ୍ଭୀରଙ୍କୁ କେବଳ ଟି-୨୦ ଏବଂ ଦିନିକିଆ ପାଇଁ ଏହି ଦାୟିତ୍ୱ ଦେଇପାରେ ବିସିସିଆଇ । ଗମ୍ଭୀରଙ୍କ ସ୍ଥାନରେ ଭିଭିଏସ ଲକ୍ଷ୍ମଣ କିମ୍ବା ଅନ୍ୟ କୌଣସି ଲିଜେଣ୍ଡଙ୍କୁ ଦଳର କୋଚ୍(ଟେଷ୍ଟ ଫର୍ମାଟ) ଭାବରେ ନିଯୁକ୍ତି ଦେଇପାରେ ଟିମ ଇଣ୍ଡିଆ ।
ପ୍ରାୟ ୪ ମାସ ତଳେ ଦଳର କୋଚ୍ ଭାବରେ ଦାୟିତ୍ୱ ନେଇଥିଲେ ଗମ୍ଭୀର । କିନ୍ତୁ ତାଙ୍କ କୋଚିଙ୍ଗରେ ଭାରତ ପ୍ରଥମେ ଶ୍ରୀଲଙ୍କା ବିପକ୍ଷ ସିରିଜ ପରାସ୍ତ ହୋଇଥିଲା । ଏହାପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ମଧ୍ୟ ଦଳ ନିରାଶଜନକ ପ୍ରଦର୍ଶନ କରିଛି । ତେଣୁ ଅଷ୍ଟ୍ରେଲିଆ ସିରିଜ ପରେ ବୋର୍ଡ ଗମ୍ଭୀରଙ୍କୁ ନେଇ ବଡ଼ ନିଷ୍ପତ୍ତି ନେଇପାରେ । ନ୍ୟୁଜିଲାଣ୍ଡ ବିପକ୍ଷ ପରାଜୟ ପରେ ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲ ପାଇଁ ଭାରତର ରାସ୍ତା ଆହୁରି କଷ୍ଟକର ହୋଇଛି । ତେଣୁ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ଦଳ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ପାଲଟି ଯାଇଛି । ତେବେ ଅଷ୍ଟ୍ରେଲିଆ ବିପକ୍ଷରେ ୪-୦ରେ ସିରିଜ ଜିତିଲେ ହିଁ, ଭାରତ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିପାରିବ ।