ବିଦେଶରେ ପଢ଼ିବା ପାଇଁ ଆଗ୍ରହୀ ଭାରତୀୟ, ଏସିଆର ଏହି ଦେଶ ଦେଉଛନ୍ତି କମ୍ ଟଙ୍କାରେ ଡାକ୍ତରୀ ପଢ଼ାର ସୁଯୋଗ

(ଓଡ଼ିଶା ଭାସ୍କର): ପ୍ରତ୍ୟେକ ଅଭିଭାବକଙ୍କ ଆଶା ତାଙ୍କ ପିଲା ଡାକ୍ତରଟିଏ ହେଉ । ଲୋକଙ୍କ ସେବା କରୁ । ରୋଗୀଙ୍କ ବଡ଼ ବଡ଼ ରୋଗ ଭଲ କରୁ ଏମିତି ଅନେକ କିଛି । କିନ୍ତୁ ବର୍ତ୍ତମାନ ସମୟରେ ଭାରତରେ ଡାକ୍ତରୀ ପାଠ ପଢ଼ିବା ବେଶ୍ ମହଙ୍ଗା ହୋଇଗଲାଣି । କାରଣ ଦରଦାମ୍ ବୃଦ୍ଧି ସାଙ୍ଗକୁ ଶିକ୍ଷା କ୍ଷେତ୍ର ମହଙ୍ଗା ହେବାରେ ଲାଗିଛି । ହୁଏତ ସରକାରୀ କଲେଜରେ କମ୍ ଖର୍ଚ୍ଚରେ ଡାକ୍ତରୀ ପଢ଼ା ହୋଇଯିବ କିନ୍ତୁ ଏ ସୁଯୋଗ ସମସ୍ତଙ୍କୁ ମିଳିପାରୁ ନାହିଁ । ଯାହାଫଳରେ ଅନେକେ ଏବେ ଡାକ୍ତରୀ ପେଶାକୁ ନ ବାଛି ଅନ୍ୟ ପେଶା ଆପଣାଇବାରେ ଲାଗିଛନ୍ତି । ଏହାବ୍ୟତୀତ ବହୁ ଜଣ ଭାରତରେ ମେଡିକାଲ ପାଠ ନ ପଢ଼ି ବିଦେଶରେ ପଢ଼ା ଆରମ୍ଭ କଲେଣି । ଯାହାର ଗୋଟିଏ ମାତ୍ର କାରଣ କମ୍ ଖର୍ଚ୍ଚ । ଚାଲନ୍ତୁ ଜାଣିବା ଏସିଆରେ ଥିବା ସେହି ଦେଶ ବିଷୟରେ ଯେଉଁଠାରେ ମେଡିକାଲ ପଢ଼ା ଖୁବ୍ ଶସ୍ତା…

ଏ ସୂଚୀରେ ପ୍ରଥମରେ ଅଛି ଚୀନ । ଏଠାକାର ୬୫ ଗୋଟି ମେଡିକାଲ କଲେଜକୁ ୱାର୍ଲ୍ଡ ଡିରେକ୍ଟରି ଅଫ୍ ମେଡିକାଲ ସ୍କୁଲ ଅଧିନରେ ଅର୍ନ୍ତଭୁକ୍ତ କରାଯାଇଛି । ମେଡିକାଲ ଶିକ୍ଷାକୁ ଦେଶରେ ଗୁରୁତ୍ୱ ଦିଆଯାଉଥିବାବେଳେ ରିସର୍ଚ୍ଚ କ୍ଷେତ୍ରରେ ମଧ୍ୟ ଛାତ୍ରଛାତ୍ରୀମାନେ ଅନ୍ୟ ଦେଶ ତୂଳନାରେ ବେଶ୍ ଆଗୁଆ । ଏଠାରେ ଥିବା ମେଡିକାଲ କଲେଜରେ ପଢ଼ିବା ପାଇଁ ବାର୍ଷିକ ୧.୮ ଲକ୍ଷରୁ ୨.୩ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ ।

ଦ୍ୱିତୀୟରେ ଅଛି କିର୍ଗିସ୍ତାନ । ଯେଉଁଠାରେ ପାଠ ପଢ଼ିବା ପାଇଁ ଭାରତୀୟ ଛାତ୍ରଛାତ୍ରୀ ବେଶୀ ଆଗ୍ରହୀ । ବର୍ତ୍ତମାନ ସମୟରେ ୧୭ ହଜାର ଭାରତୀୟ ଏଠାରେ ପାଠ ପଢ଼ୁଛନ୍ତି । କ୍ୱାଲିଟି ଓ ପଢ଼ା ସୁବିଧା ହିସାବରେ ଛାତ୍ରଛାତ୍ରୀ କିର୍ଗିସ୍ତାନକୁ ପସନ୍ଦ କରନ୍ତି । ଏଠାରେ ମେଡିକାଲ ପାଠ ପଢ଼ିବା ପାଇଁ ବାର୍ଷିକ ୩.୩ ଲକ୍ଷ କିମ୍ବା ଅତିବେଶୀରେ ୪.୧ ଲ୪ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ ।

ମେଡିକାଲ ଶିକ୍ଷାକୁ ନେଇ ଫିଲିପିନ୍ସ ନିଜ ଶିକ୍ଷାନୀତିରେ ପରିବର୍ତ୍ତନ କରିଛି । ଏହାଦ୍ୱାରା ଭାରତୀୟ ଛାତ୍ରଛାତ୍ରୀ ଲାଭବାନ ହୋଇପାରିବେ । କାରଣ ମେଡିକାଲ ପାଠ୍ୟକ୍ରମ ସାରି ପିଜି କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀ ଏଠାକୁ ଆସି ଶିକ୍ଷା ଗ୍ରହଣ କରିବାର ସୁବିଧା ଅଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା, ଇଂଲିଶ ବଦଳରେ ଷ୍ଟୁଡେଣ୍ଟମାନେ ସ୍ମାର୍ଟ ପଦ୍ଧତିରେ ପାଠ ପଢ଼ିପାରିବେ । ମେଡିକାଲ ପାଠ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କୁ ଏଠାରେ ବର୍ଷକୁ ଅଢେଇ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ ।

କମ୍ ଖର୍ଚ୍ଚରେ ମେଡିକାଲ ପାଠ୍ୟକ୍ରମ ପଢ଼ାଯାଉଥିବା ଦେଶଗୁଡ଼ିକ ତାଲିକାର ଚତୁର୍ଥ ସ୍ଥାନରେ ଆସୁଛି କାଜାକିସ୍ତାନ । ଏଠାକାର ଖାଜାକ ମେଡିକାଲ ୟୁନିଭର୍ସିଟିକୁ ମେଡିକାଲ କାଉନସିଲ ଅଫ୍ ଇଣ୍ଡିଆ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ମାନ୍ୟତା ପ୍ରଦାନ କରାଯାଇଛି । ଯେଉଁ କାରଣରୁ ଏଠାରେ ପଢ଼ିବା ପାଇଁ ବିଭିନ୍ନ ଦେଶର ଛାତ୍ରଛାତ୍ରୀ ଖୁବ୍ ଆଗ୍ରହ ପ୍ରକାଶ କରନ୍ତି । ସ୍ଥାନୀୟ ମେଡିକାଲ କଲେଜରେ ପଢ଼ିବା ପାଇଁ ବର୍ଷକୁ ୩ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ ।

ଏ ସୂଚୀରେ ସବୁଠାରୁ ଶେଷରେ ଆସୁଛି ଉଜବେକିସ୍ତାନ । ଗତବର୍ଷ ପାଖାପାଖି ୩ ହଜାର ଭାରତୀୟ ଛାତ୍ରଛାତ୍ରୀ ଏଠାକାର ସମରକନ୍ଦ ମେଡିକାଲ ୟୁନିଭର୍ସିଟିରେ ୨୦୨୩ରେ ନାମ ଲେଖାଇଛନ୍ତି । ଏହାବ୍ୟତୀତ ଏଠାକାର କମ୍ ଟୁ୍ୟଶନ୍ ଫିସ୍ ଏବଂ କ୍ୱାଲିଟି ଏଜୁକେଶନ ପାଇଁ ଷ୍ଟୁଡେଣ୍ଟ ପାଠ ପଢ଼ିବା ପାଇଁ ଏହି ଦେଶକୁ ବାଛିଥାନ୍ତି । ଏଠାରେ ଥିବା ୯୩ ବର୍ଷ ପୁରୁଣା ସମରକନ୍ଦ ୟୁନିଭର୍ସିଟି ଏବଂ ତାସକନ୍ଦ ମେଡିକାଲ ଏକାଡେମିରେ ପଢ଼ିବା ପାଇଁ ବାର୍ଷିକ ୨.୯ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ ।