ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାସ୍ତା ନିର୍ମାଣକୁ ନେଇ ସ୍ୱତନ୍ତ୍ର ନୀତି ଆଣିବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗ ଅଧିନରେ ରହିଥିବା ରାସ୍ତାଗୁଡ଼ିକର ନିର୍ମାଣ ଓ ଡିଜାଇନକୁ ନେଇ ରାଜ୍ୟ ସରକାର ସ୍ପେଶାଲ ପଲିସୀ ଆଣିବେ । ଆଗାମୀ ୫୦ ବର୍ଷକୁ ଦୃଷ୍ଟିରେ ରଖି ଏହି ନୀତିରେ ନିୟମାବଳୀ ରଖାଯିବ । ଏନେଇ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।
ବୈଠକରେ କୁହାଯାଇଛି, ଜାତୀୟ ରାଜପଥ, ରାଜ୍ୟ ରାଜପଥକୁ ମିଶାଇ ପୂର୍ତ୍ତ, ଗ୍ରାମ୍ୟ ବିକାଶ, ନଗର ଉନ୍ନୟନ, ପଞ୍ଚାୟତିରାଜ ଓ ବିଭିନ୍ନ ମହାନଗର ନିଗମ ଅଧିନରେ ଅନେକଗୁଡ଼ିକ ରାସ୍ତା ରହିଛି । ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟର ଅଭାବ କାରଣରୁ ଅନେକ ସମୟରେ ରାସ୍ତା ନିର୍ମାଣ ଓ ମରାମତି କାର୍ଯ୍ୟରେ ସମସ୍ୟା ଦେଖାଦେଇଥାଏ । ତେଣୁ ଏହାର ନବୀକରଣ କରାଯିବା ସହିତ ଆଗାମୀ ୫୦ ବର୍ଷକୁ ଦୃଷ୍ଟିରେ ରଖି ଏକ ରାସ୍ତା ନିର୍ମାଣ ନେଇ ସ୍ୱତନ୍ତ୍ର ନୀତି ପ୍ରଣୟନ କରାଯିବ ।
ଆଗାମୀ ଦିନରେ ହେବାକୁ ଥିବା ଟ୍ରାଫିକ୍ ସମସ୍ୟାର ସମାଧାନ ନେଇ ରୋଡମ୍ୟାପ, ଆବଶ୍ୟକତାକୁ ଦୃଷ୍ଟିରେ ରଖି ନୂଆ ରାସ୍ତା ନିର୍ମାଣ, ପୁରୁଣା ରାସ୍ତାର ମରାମତି, ସେତୁ ନିର୍ମାଣ, ଘରୋଇ ଜମି ଅଧିଗ୍ରହଣ ଓ ଜଙ୍ଗଲ ଜମି ଅଧିଗ୍ରହଣ ଉପରେ ଦୃଷ୍ଟି ଦେଇ ନୀତି ପ୍ରଣୟନ କରାଯିବ । ଅନେକ ସମୟରେ ଲୋକମାନେ ରାସ୍ତାରେ କେବୁଲ ବିଛାଇବା, ଡ୍ରେନ ତଥା ସ୍ୱେରେଜ୍ ନିର୍ମାଣ ପାଇଁ ବିଭିନ୍ନ ସଂସ୍ଥା ସରକାରଙ୍କ ବିନାନୁମତିରେ ରାସ୍ତା ଖୋଳି ଦେଇଥାନ୍ତି । ଏହି ଘଟଣାର ନିରାକରଣ ପାଇଁ ଉକ୍ତ ସଂସ୍ଥା ବିରୋଧରେ ଜରିମାନା ଲାଗୁ ନେଇ ନୀତିରେ ଉଲ୍ଲେଖ ରହିବ ବୋଲି କୁହାଯାଇଛି । ଏଥିସହିତ ବିଭିନ୍ନ ଇଞ୍ଜିନିୟରିଂ ବିଭାଗରେ ଖାଲି ଥିବା ପଦ ପୂରଣ ଓ ରାସ୍ତା ନିର୍ମାଣ ବେଳେ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି ।