ନୂଆଦିଲ୍ଲୀ: ଅଷ୍ଟେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ଖେଳିବେ ନାହିଁ ଅଦିନାୟକ ରୋହିତ ଶର୍ମା । ଏ ନେଇ ସେ ବିସିସିଆଇକୁ ସ୍ପଷ୍ଟ କରିଛନ୍ତି । ଦ୍ୱିତୀୟ ଥର ପିତା ହୋଇଥିବା ବେଳେ ସେ ଏହି ସମୟରେ ପରିବାର ସହ ରହିବାକୁ ସ୍ଥିର କରିଛନ୍ତି । ତେଣୁ ପର୍ଥ ଟେଷ୍ଟରୁ ଦୂରେଇ ରହିବା ନେଇ ବୋର୍ଡକୁ ସୂଚନା ଦେଇଛନ୍ତି ରୋହିତ । ଅର୍ଥାତ୍ ଏହି ମ୍ୟାଚରେ ରୋହିତଙ୍କ ସ୍ଥାନରେ ଅଧିନାୟକ ଦାୟିତ୍ୱ ୟର୍କର କିଙ୍ଗ ଜଶପ୍ରୀତ ବୁମରାହ ତୁଲାଇବେ । ଅନ୍ୟ ପକ୍ଷରେ ଶୁଭମନ ଗିଲ୍ ମଧ୍ୟ ଏହି ମ୍ୟାଚ ପାଇଁ ଦଳରୁ ବାଦ୍ ପଡ଼ିଛନ୍ତି । ତେବେ ରୋହିତଙ୍କ ଅନୁପସ୍ଥିତିରେ ଓପନିଙ୍ଗ ଦାୟିତ୍ୱ କିଏ ସମ୍ଭାଳିବେ?
ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ଅନୁପସ୍ଥିତ ରହିବା ନେଇ ସୂଚନା ଦେଇଛନ୍ତି ଅଧିନାୟକ ରୋହିତ ଶର୍ମା । ଏହାପରେ ଟିମ ମ୍ୟାନେଜମେଣ୍ଟ ଯୁବ ବ୍ୟାଟର ଦେବଦତ୍ତ ପଡିକ୍କଲଙ୍କୁ ଦଳରେ ସାମିଲ କରିଛି । ବିକଳ୍ପ ଖେଳାଳି ଭାବରେ ତାଙ୍କୁ ଦଳରେ ସାମିଲ କରିଛି ଟିମ ଇଣ୍ଡିଆ । ସେପଟେ ରୋହିତଙ୍କ ଅନୁପସ୍ଥିତିରେ ଦଳର ନେତୃତ୍ୱ ଭାର ଉପ-ଅଧିନାୟକ ଜଶପ୍ରୀତ ବୁମରାହଙ୍କୁ ମିଳିଛି । ପ୍ରଥମ ଟେଷ୍ଟ ପାଇଁ ସେ ହିଁ ଦଳର ଅଧିନାୟକ ଦାୟିତ୍ୱ ତୁଲାଇବେ । କିନ୍ତୁ ବୁମରାହଙ୍କ ପାଇଁ ବର୍ତ୍ତମାନ ପ୍ଲେଇଙ୍ଗ-୧୧ ଚୟନ କରିବା ଖୁବ କଷ୍ଟକର ହୋଇ ପଡ଼ିଛି । ରୋହିତ ଏହି ମ୍ୟାଚରେ ଉପଲବ୍ଧ ନଥିବା ବେଳେ ଶୁଭମନ ଗିଲ୍ ମଧ୍ୟ ଆହତ ସମସ୍ୟା ଯୋଗୁଁ ଦଳରୁ ବାଦ୍ ପଡ଼ିଛନ୍ତି । ତେଣୁ ଓପନିଙ୍ଗ କିଏ କରିବ ସେ ନେଇ ଏକ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି ।
ରୋହିତ ଶର୍ମାଙ୍କ ଅନୁପସ୍ଥିତିେ କେ.ଏଲ ରାହୁଲ ଟିମ ଇଣ୍ଡିଆ ପାଇଁ ପାଳି ଆରମ୍ଭ କରିପାରନ୍ତି । ୨ ଦିନ ତଳେ ଅଭ୍ୟାସ ସମୟରେ ସେ ଆହତ ହୋଇଥିଲେ ମଧ୍ୟ ବର୍ତ୍ତମାନ ସେ ଅଭ୍ୟାସ କରୁଥିବାର ଦେଖାଯାଇଛି । ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ଫିଟ୍ ଥିବା ବେଳେ ପ୍ରଥମ ଟେଷ୍ଟ ଖେଳିପାରିବେ ବୋଲି ଜାଣିବାକୁ ମିଳିଛି । ତେଣୁ ବୁମରାହଙ୍କ ପାଇଁ ରୋହିତଙ୍କ ବିକଳ୍ପ ଭାବରେ କେ.ଏଲ ରାହୁଲ ହିଁ ସର୍ବଶ୍ରେଷ୍ଠ ବିକଳ୍ପ ରହିଛନ୍ତି । ଯଶସ୍ୱୀ ଜଏସ୍ୱାଲଙ୍କ ସହ ଟିମ ଇଣ୍ଡିଆ ପାଇଁ ଦମଦାର ଆରମ୍ଭ କରିପାରନ୍ତି ରାହୁଲ । ତେବେ ରାହୁଲଙ୍କ ଫର୍ମ ଏବେ ଦଳ ପାଇଁ ସମସ୍ୟା ପାଲଟିଛି । ଏହାପରେ ମଧ୍ୟ ଅଭିଜ୍ଞତା ଦୃଷ୍ଟିରୁ ବୁମରାହ ରାହୁଲଙ୍କୁ ରୋହିତଙ୍କ ସ୍ଥାନରେ ଓପନିଙ୍ଗ ଦାୟିତ୍ୱ ପ୍ରଦାନ କରିପାରନ୍ତି । ଏହାବ୍ୟତୀତ ଅଭିମନ୍ୟୁ ଈଶ୍ୱରନ୍ ମଧ୍ୟ ଜଣେ ଓପନିଙ୍ଗ ବିକଳ୍ପ ରହିଛନ୍ତି ।