ଏଣିକି ଗାଁରୁ ନେଇ ଫ୍ଲାଇଟ ପର୍ଯ୍ୟନ୍ତ ମିଳିବ ଇଣ୍ଟରନେଟ୍ ସେବା! SpaceX ଲଞ୍ଚ କଲା GSAT-20 ସାଟେଲାଇଟ୍

ନୂଆଦିଲ୍ଲୀ: ଆଉ ଏକ କମାଲ କଲା ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ବା ଇସ୍ରୋ । ସୋମବାର ବିଳମ୍ବିତ ରାତିରେ ଇସ୍ରୋ GSAT-20 ସାଟେଲାଇଟର ଉତକ୍ଷେପଣ କରିଛି । ଏଲୋନ୍ ମସ୍କର କମ୍ପାନୀ ସ୍ପେସ୍ଏକ୍ସର ଫାଲକନ୍ 9 ରକେଟ୍ ମଙ୍ଗଳବାର ସକାଳେ ଫ୍ଲୋରିଡାର କେପ୍ କାନାଭେରାଲରୁ ISRO ର GSAT-20 ସଞ୍ଚାର ସାଟେଲାଇଟକୁ ସଫଳତାର ସହିତ ଉତକ୍ଷେପଣ କରିଛି । ତେବେ ISRO ର 4700 କିଲୋଗ୍ରାମ GSAT-N2 ସାଟେଲାଇଟର ଉଦ୍ଦେଶ୍ୟ ହେଉଛି ଦୁର୍ଗମ ଅଞ୍ଚଳକୁ ତଥ୍ୟ କିମ୍ବା ଇଣ୍ଟରନେଟ୍ ସେବା ଯୋଗାଇବା ।

ସୂଚନା ଅନୁସାରେ, ବାସ୍ତବରେ, ଏହି GSAT-N2 ସାଟେଲାଇଟକୁ ଦୁର୍ଗମ ଅଞ୍ଚଳକୁ ଡାଟା, ଇଣ୍ଟରନେଟ୍ ସେବା ଯୋଗାଇବା ଏବଂ ସମଗ୍ର ଭାରତୀୟ ଉପମହାଦ୍ବୀପରେ ଫ୍ଲାଇଟ୍ ଇଣ୍ଟରନେଟ୍ ସଂଯୋଗକୁ ସକ୍ଷମ କରିବା ଉଦ୍ଦେଶ୍ୟରେ ଡିଜାଇନ୍ କରାଯାଇଛି । ISRO ର ମାର୍କ -3 ଲଞ୍ଚ ଭେଇକଲ ଜିଓ ଷ୍ଟେସନାରୀ ଟ୍ରାନ୍ସଫର କକ୍ଷପଥରେ ସର୍ବାଧିକ 4000 କିଲୋଗ୍ରାମ ବହନ କରିବାର କ୍ଷମତା ରହିଥିଲା, କିନ୍ତୁ GSAT-N2 ର ଓଜନ 4700 କିଲୋଗ୍ରାମ ଥିଲା । ଏଥିପାଇଁ ଭାରତକୁ ଏକ ରକେଟର ଆବଶ୍ୟକତା ରହିଥିଲା । ସେଥିପାଇଁ ISRO ଏହି ମିଶନ ପାଇଁ ସ୍ପେସ୍ ଏକ୍ସର ଲଞ୍ଚ ଯାନର ସାହାଯ୍ୟ ନେଇଥିଲା । ଯଦି ଦେଖିବା ଏହା ସ୍ପେସଏକ୍ସ ସହିତ ଭାରତର ପ୍ରଥମ କମର୍ସିଆଲ କୋଲାବରେସନ ଅଟେ । GSAT-N2 GSAT-20 ଭାବରେ ମଧ୍ୟ ଜଣାଶୁଣା । ଏହାକୁ ନ୍ୟୁଜ୍ ସ୍ପେସ୍ ଇଣ୍ଡିଆ ଲିମିଟେଡ୍ (NSIL) ଦ୍ୱାରା ବିକଶିତ କରାଯାଇଛି । NSIL ହେଉଛି ମହାକାଶ ବିଭାଗ ଅଧୀନରେ ISRO ର କମର୍ସିଆଲ ଶାଖା । ଏନେଇ ସ୍ପେସ୍ ଇଣ୍ଡିଆ ଲିମିଟେଡ୍ X ରେ ସୂଚନା ଦେଇଛି ।

ବେଙ୍ଗାଲୁରୁର UR ରାଓ ସାଟେଲାଇଟ୍ ସେଣ୍ଟରର ନିର୍ଦ୍ଦେଶକ ଡ.ଏମ ଶଙ୍କରନ୍ କହିଛନ୍ତି ଯେ କାର୍ଯ୍ୟକ୍ଷମ ହେବା ପରେ ଏହି ସ୍ୱଦେଶୀ ଉପଗ୍ରହ ବିଶ୍ୱ ମାନଚିତ୍ରରେ ଭାରତ ଉପରେ ଫ୍ଲାଇଟ୍ ଇଣ୍ଟରନେଟ୍ ସଂଯୋଗରେ ଗୁରୁତ୍ୱପୂର୍ଣ୍ଣ ବ୍ୟବଧାନକୁ ଦୂର କରିବ । ବର୍ତ୍ତମାନ ଭାରତରେ ଅବତରଣ କରୁଥିବା ଆନ୍ତର୍ଜାତୀୟ ବିମାନଗୁଡ଼ିକୁ ସେମାନଙ୍କର ଇଣ୍ଟରନେଟ୍ ସେବାକୁ ବନ୍ଦ ରଖିଥାନ୍ତି । କିନ୍ତୁ ନିୟମରେ ସାମ୍ପ୍ରତିକ ପରିବର୍ତ୍ତନ ପରେ, ଇଣ୍ଡିଆନ୍ ଏୟାର ସ୍ପେସରେ ଇଣ୍ଟରନେଟ୍ ଆକ୍ସେସକୁ ଅନୁମତି ଦିଆଯାଇଛି । ନୂତନ ନିୟମ ଅନୁଯାୟୀ, 3000 ମିଟରରୁ ଅଧିକ ଉଚ୍ଚରେ ଉଡ଼ୁଥିବା ବିମାନରେ ୱାଇ-ଫାଇ ସେବା ଅନୁମତି ଦିଆଯାଇଛି । ଯାତ୍ରୀମାନେ ଉଡାଣ ସମୟରେ ଇଲେକ୍ଟ୍ରୋନିକ ଗ୍ୟାଜେଟର ବ୍ୟବହାର କରିପାରିବେ ।