ଭୁବନେଶ୍ବର: ରାତି ପାହିଲେ ଆରମ୍ଭ ହେବ ଧାନକିଣା । ଏନେଇ ସମସ୍ତ ପ୍ରସ୍ତୁତି କରାଯାଇଖିବା ବେଳେ ବଡ ଅପଡେଟ୍ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଦଲାଲ ଯେଉଁଭଳି ଭାବେ ମଣ୍ଡିକୁ ପହଞ୍ଚିପାରିବେ ନାହିଁ ସେନେଇ ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଥିବା ସେ କହିଛନ୍ତି । କାଲିଠୁ ବରଗଡ ଏବଂ 21 ତାରିଖରୁ ସମ୍ବଲପୁରରେ ଧାନ କିଣା ଆରମ୍ଭ ହେବ ।
ମନ୍ତ୍ରୀ କହିଛନ୍ତି,”ଧାନ କିଣା ନେଇ ଚାଷୀ ଏବଂ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଛନ୍ତି । ମୁଁ ମଧ୍ୟ ପ୍ରସ୍ତୁତ ରହିଛି । ସମସ୍ତ ମଣ୍ଡିରେ ବ୍ୟବସ୍ଥା କରାଯାଇଛି । ଧାନ କିଣା ଆରମ୍ଭରୁ ବିକ୍ରି ପର୍ଯ୍ୟନ୍ତ ମଣ୍ଡିରେ ରହିବେ ଅଧିକାରୀ । ପ୍ରତି ମଣ୍ଡିରେ ଜଣେ ଲେଖାଏଁ ଅଧିକୃତ ଅଧିକାରୀ ରହିବେ । ତେବେ ସେମାନେ କଟନୀ ଛଟନୀ ସହିତ ଚାଷୀ ଉପଯୁକ୍ତ ମୂଲ୍ୟ ପାଉଛନ୍ତି କି ନାହିଁ ସେନେଇ ତଦାରଖ କରିବେ । ଏନେଇ ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଛି । 4ରୁ 5 ମଣ୍ଡିକୁ ନେଇ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି । ଦଲାଲମାନେ ଯେପରି ମଣ୍ଡିକୁ ଆସିପାରିବେ ନାହିଁ ସେନେଇ ପାଟ୍ରୋଲିଂ ବ୍ୟବସ୍ଥା କରାଯିବ । ତେବେ 800 ଟଙ୍କା ସବସିଡି ଉପରେ ଗୁରୁତ୍ବ ଦିଆଯିବ । ଚାଷୀମାନେ ଟଙ୍କା ପାଉଛନ୍ତି କି ନାହିଁ ସେ ଉପରେ ନଜର ରଖାଯିବ । ସନ୍ଧ୍ୟାରେ ଜିଲ୍ଲାପାଳମାନଙ୍କୁ ରିପୋର୍ଟ କରାଯିବ । ଜିଲ୍ଲାପାଳମାନେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ । ”