ଭୁବନେଶ୍ବର: ନିର୍ଦ୍ଧାରିତ ଦିନରେ ବରଗଡରେ ଖୋଲିଲା ଧାନମଣ୍ଡି । ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପୂଜାର୍ଚ୍ଚନା କରିବା ପରେ ଧାନମଣ୍ଡି ଆରମ୍ଭ ହୋଇଛି । ଏନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା । ତେବେ ଶୁଭାରମ୍ଭ ପରେ ଆଜି ଏକ ମହତ୍ତ୍ବପୂର୍ଣ୍ଣ ଦିନ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି ।
ଖରିପ ଧାନ ଶୁଭାରମ୍ଭ ପରେ ଯୋଗାଣ ମନ୍ତ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି, “ଆମେ ଯାହା ପୂର୍ବରୁ କଥା ଦେଇଥିଲୁ, ଆମେ ସରକାର ସେହି କଥା ରଖିଲେ । ବାହାର ରାଜ୍ୟର ଲୋକେ ଯେଉଁଭଳି ଭାବେ ନଆସନ୍ତି ସେଥିପାଇଁ ସୀମା ସିଲ୍ କରାଯାଇଛି । ଏହାସହିତ ସିସିଟିଭି ଲଗାଇ ପାଟ୍ରୋଲିଂ ମଧ୍ୟ କରାଯାଉଛି । ଆଜି ବରଗଡର 3ଟି ମଣ୍ଡିରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତାକାଲିଠାରୁ ଅନ୍ୟ ସ୍ଥାନରୁ ଆରମ୍ଭ ହେବ । ” ଚଳିତ ବର୍ଷ ଧାନ କ୍ବିଣ୍ଟାଲ ପିଛା ଚାଷୀ 3100 ଟଙ୍କା ପାଇବେ । 2300 ଟଙ୍କା ଏମଏସପି ସହିତ 800 ଟଙ୍କା ବୋନସ୍ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ସୂଚନା ଅନୁସାରେ, ଡିସେମ୍ବର 8 ତାରିଖରେ ବରଗଡ ଜିଲ୍ଲାର ସାହେଲା ଠାରେ ରାଜ୍ୟ ସ୍ତରୀୟ କୃଷକ ସମାବେଶ ହେବ । ଏଠାରେ କୃଷକମାନଙ୍କୁ ଧାନର କୁଇଣ୍ଟାଲ ପିଛା ଅତିରିକ୍ତ ୮୦୦ ଟଙ୍କା ପ୍ରଦାନ କରାଯିବ ।