ନୂଆଦିଲ୍ଲୀ: ଦିନକୁ ଦିନ ଦିଲ୍ଲୀରେ ବଢି ଚାଲିଛି ପ୍ରଦୂଷଣ। ବାୟୁ ଗୁଣାବତ୍ତା ଅତି ଖରାପ ସ୍ଥିତିରେ ରହିଛି । ତେବେ ଏହାକୁ ନେଇ ସରକାର ଅନେକ ନିୟମ ପ୍ରଣୟନ କରିଥିଲେ ହେଁ ସ୍ଥିତିରେ ସୁଧାର ଆସୁନାହିଁ । ଗ୍ରେପ-4 କଟକଣା ପରେ ଆଜି ଆଉ ଏକ ନୂଆ ଘୋଷଣା କରାଯାଇଛି । 50 ପ୍ରତିଶତ ସରକାରୀ କର୍ମଚାରୀଙ୍କୁ ଘରେ ରହି କାମ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଘୋଷଣା କରିଛନ୍ତି । ଅଧା ସରକାରୀ କର୍ମଚାରୀ ଓ୍ବାର୍କ ଫ୍ରମ ହୋମ୍ କରିବେ । ପୂର୍ବରୁ ଘରୋଇ କର୍ମଚାରୀଙ୍କୁ ମଧ୍ୟ ଓ୍ବାର୍କ ଫ୍ରମ ହୋମ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।
ତେବେ ଏହାକୁ କିଭଳି କାର୍ଯ୍ୟକାରୀ କରାଯିବ ସେନେଇ କୌଣସି ଘୋଷଣା କରାଯାଇ ନାହିଁ । ଆଜି ଅପରାହ୍ନ 1ଟା ସମୟରେ ସଚିବାଳୟରେ ଅଧିକାରୀଙ୍କ ସହିତ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଆଲୋଚନା ପରେ ଏନେଇ ଅଧିକ ସୂଚନା ଜାରି କରାଯିବ । ଏହାରି ଭିତରେ ଦିଲ୍ଲୀର ପ୍ରଦୂଷଣ ମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ବାୟୁ ଗୁଣାବତ୍ତା 500 ଛୁଇଁଛି । ସବୁ ସ୍କୁଲକୁ ଛୁଟି ଘୋଷଣା କରାଯାଇଥିବା ବେଳେ କୃତ୍ରିମ ବର୍ଷା ମଧ୍ୟ କରାଯାଉଛି । ସ୍ତୁଲ ଛୁଟି କରାଯାଇଥିବା ବେଳେ ଅନଲାଇନରେ କ୍ଲାସ କରିବା ପାଇଁ ପରାମର୍ଶ ଦିଆଯାଇଛି ।