(Video) ଗ୍ରାମକୁ ପଡିଛି କି ଅଭିଶାପ? ଗ୍ରାମବାସୀଙ୍କୁ ଗୋଡାଇ ଗୋଡାଇ କାମୁଡୁଛନ୍ତି ନାଲି ପିମ୍ପୁଡି

ଭୁବନେଶ୍ବର: ଗୋଡ଼ାଇ ଗୋଡ଼ାଇ କାମୁଡୁଛି ନାଲି ପିମ୍ପୁଡ଼ି । ଦେହରେ ମୁଣ୍ଡରେ ଚଢି ଲୋକଙ୍କ ପାଇଁ ସମସ୍ୟାର କଣ୍ଚା ସାଜିଛନ୍ତି । ଦେହକୁ କାମୁଡି ରକ୍ତ ବାହାର କରିଦେଉଛନ୍ତି । ଏକା ସାଙ୍ଗରେ ଶହ ଶହ ପିମ୍ପୁଡ଼ି କାମୁଡ଼ି ଗୋଡ଼ାଉଛନ୍ତି । କଥାଟି ଶୁଣିବା ପାଇଁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସମ୍ପୁର୍ଣ୍ଣ ସତ୍ୟ । ପୁରୀ ଜିଲ୍ଲା ନିମାପଡା ସାହାଡା ଗ୍ରାମରୁ ସାମ୍ନାକୁ ଆସିଛି ଘଟଣା । ପିମ୍ପୁଡିକୁ ଆୟତ୍ତ କରିବା ପାଇଁ ସବୁ ପ୍ରକାର ଚେଷ୍ଟା କରାଯାଇଥିଲେ ହେଁ ଏଥିରେ କୌଣସି ସଫଳତା ମିଳିପାରି ନାହିଁ ।

ଲକ୍ଷ୍ମଣ ରେଖା ଖଡ଼ି ଟାଣି ସମସ୍ତେ ବସି ରହିଥିଲେ ହେଁ ଛୁଆ ଠାରୁ ବଡ଼ ସମସ୍ତେ ଅସ୍ତ ବ୍ୟସ୍ତ ହେଉଛନ୍ତି । ଲକ୍ଷ୍ମଣ ରେଖା ଭିତରେ ରହି ଖାଇବା ଠାରୁ ଶୋଇବା ସବୁ କିଛ ଲକ୍ଷ୍ମଣ ରେଖା ଭିତରେ ହେଉଛି । ତେବେ ପିମ୍ପୁଡିମାନଙ୍କ ହରକତ ଦେଖି ପ୍ରତିଶୋଧ ଭଳି ମନେ ହେଉଛି । ପୂର୍ବରୁ ଏଭଳି ନଥିବା ବେଳେ ହଠାତ୍ ପିମ୍ପୁଡି ଆତଙ୍କ ଦେଖାଯିବାରୁ କେହି ଗୁଣି କରିଦେଇଥିବା କଥା ଚର୍ଚ୍ଚା ହେଉଛି । ଯେଉଁଥିପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସାମ୍ନା କରୁଛନ୍ତି । ମଣିଷଙ୍କ ଠାରୁ ଗାଇ ଗୋରୁ ପର୍ଯ୍ୟନ୍ତ ସମସ୍ତେ ନାଲି ପିମ୍ପୁଡ଼ି ଆକ୍ରମଣରେ ଆକ୍ରାନ୍ତ । ନାକ କାନ ସବୁଡ଼େ ପଶିଯାଉଛନ୍ତି । ୫୦ରୁ ଉର୍ଦ୍ଧ୍ବ ପରିବାର ୪୦୦ ଶହରୁ ଅଧିକ ଲୋକ ହନ୍ତସନ୍ତ ହେଉଛନ୍ତି ।  ଯାହା ରନ୍ଧା ହୋଇ ରଖା ହେଉଛି ସେ ସବୁ ମଧ୍ୟ ନାଲି ପିମ୍ପୁଡ଼ି ଖାଇ ଯାଉଛନ୍ତି । ଲୋକଙ୍କୁ କାମୁଡ଼ିଲା ମାନେ ସେହି କାମୁଡ଼ା ସ୍ଥାନ ଫୁଲି ରକ୍ତ ବାହରୁଛି । ତେବେ ଏନେଇ କୌଣସି ପ୍ରତିକାର ନେବା ପାଇଁ ଗ୍ରାମବାସୀ ପ୍ରଶାସନକୁ ଅନୁରୋଧ କରିଛନ୍ତି ।