ଅଟୋକୁ ଧକ୍କା ଦେଲା APSRTC ବସ୍, ଲିଭିଗଲା 7 ଶ୍ରମିକଙ୍କ ଜୀବନ ଦୀପ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅଟାକୁ ଧକ୍କା ଦେଲା ବସ୍ । ଭୟଙ୍କର ସଡକ ଦୁର୍ଘଟଣାରେ 7ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ 4ରୁ ଅଧିକ ଆହତ ହୋଇଥିବା ସୂଚନା ରହିଛି । ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିବା ସହିତ ତଦନ୍ତ ଆରମ୍ଭ କରିଛି । ସେମାନଙ୍କର ଅବସ୍ଥା ମଧ୍ୟ ଗୁରୁତର ରହିଥିବା ଜଣାପଡିଛି ।

ସୂଚନା ଅନୁସାରେ, ଶନିବାର ଦିନ ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲାରେ ଖେତରେ କାମ କରୁଥିବା ଶ୍ରମିକଙ୍କୁ ନେଇ ଯାଉଥିବା ଏକ ଅଟୋକୁ ରାଜ୍ୟ ସଡକ ପରିବହନ ନିଗମ (ଏପିଏସଆରଟିସି) ବସ୍ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ରହିଥିଲା ଯେ, 7ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣା ଅନନ୍ତପୁର ଜିଲ୍ଲାର ଗାର୍ଲାଡିନ୍ ମଣ୍ଡପରେ ଘଟିଛି । କୁହାଯାଉଛି ଯେ, ଦୁର୍ଘଟଣାସ୍ଥଳରେ ହିଁ 2ଜଣ ଆଖି ବୁଜି ଦେଇଥିଲେ । ଏହାପରେ ଡାକ୍ତରଖାନା ନେବା ରାସ୍ତାରେ ଆଉ 2 ଜଣ ଆଖି ବୁଜିଥିବା ବେଳେ 3ଜଣହ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ପୋଲିସ ପକ୍ଷରୁ କୁହାଯାଇଛି ଯେ, ଜିଲ୍ଲାର କୁଟଲୁର ମଣ୍ଡଳର ନେଲୁଟାଲା ଗାଁର 12 ଜଣ ଶ୍ରମିକ କାମ ପାଇଁ ଅଟୋରେ ଗାର୍ଲାଡିନ୍ ଆସିଥିଲେ। କାମରୁ ଫେରୁଥିବାବେଳେ ଆଗରୁ ଆସି ଏକ ବସ୍ ଅଟୋକୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଆହତ ଶ୍ରମିକମାନଙ୍କୁ ଅନନ୍ତପୁର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଏସପି ଜଗଦୀଶ ଏବଂ ଡିଏସପି ଭେଙ୍କଟେଶ୍ୱରଲୁ ଘଟଣା ସ୍ଥଳକୁ ଯାଞ୍ଚ କରିଥିଲେ । ପୋଲିସ APSRTC ଡ୍ରାଇଭରକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ।