ଗିରଫ ହେଲେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ପୂର୍ବ OSD

ନୂଆଦିଲ୍ଲୀ: ରାଜସ୍ଥାନରୁ ଆସିଛି ଏକ ବଡ଼ ଖବର । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ପୂର୍ବ ଓଏସଡି ଲୋକେଶ ଶର୍ମା ଗିରଫ ହୋଇଛନ୍ତି । ଦିଲ୍ଲୀ କ୍ରାଇମବ୍ରାଞ୍ଚ ଶ୍ରୀ ଶର୍ମାଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ରାଜସ୍ଥାନ ଫୋନ୍ ଟ୍ୟାପିଂ ମାମଲାରେ ଲୋକେଶଙ୍କ ବିରୋଧରେ କ୍ରାଇବ୍ରାଞ୍ଚ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତେବେ ଗିରଫଦାରୀ ପରେ ଲୋକେଶଙ୍କୁ ସଙ୍ଗେସଙ୍ଗେ ଜାମିନ୍ ମିଳିଥିବା ଜଣାପଡ଼ିଛି । ଏହି ଗିରଫଦାରୀ ଉପରେ ପୂର୍ବରୁ ହାଇକୋର୍ଟ ରୋକ ଲଗାଇଥିଲେ । ଏହି ମାମଲାରେ ବିଜେପି ନେତା ଗଜେନ୍ଦ୍ର ଶେଖାୱତ ଫୋନ୍ ଟ୍ୟାପିଂର ଅଭିଯୋଗ ଆଣିବା ସହ ଦିଲ୍ଲୀ ପୋଲିସରେ ଏକ ଅଭିଯୋଗ ଦାୟର କରିଥିଲେ । ଉକ୍ତ ଅଭିଯୋଗକୁ ଆଧାର କରି ମାମଲା ଦାୟର ହୋଇଥିଲା ।

କ୍ରାଇମବ୍ରାଞ୍ଚ ଏବେ ଏହି ମାମଲାର ଯାଞ୍ଚ କରୁଛି । ନଭେମ୍ବର ୨୧ରେ ଲୋକେଶ ସେଶନ କୋର୍ଟରେ ଆଗୁଆ ଜାମିନ ପାଇଁ ଅର୍ଜି ଦାଖଲ କରିଥିଲେ । କୋର୍ଟ ତାଙ୍କର ଯାଚିକାକୁ ଗ ୍ରହଣ କରିବା ସହ ଆଗୁଆ ଜାମିନ ପ୍ରଦାନ କରିଥିଲେ । ଏହା ପୂର୍ବରୁ ଦିଲ୍ଲୀ ପୋଲିସ ଲୋକେଶଙ୍କୁ ଅନେକ ଥର ନୋଟିସ୍ ଜାରି କରିବା ସହ ପଚରାଉଚରା ପାଇଁ ଡକାଇଥିଲା । ଫୋନ୍ ଟ୍ୟାପିଂର ସିଡି ମିଡ଼ିଆକୁ ଦେଇଥିବା ନେଇ ଲୋକେଶଙ୍କ ବିରୋଧରେ ଅଭିଯୋଗ ରହିଛି । ଆଜି କ୍ରାଇମବ୍ରାଞ୍ଚ ତାଙ୍କୁ ପଚରାଉଚରା ପାଇଁ ଡକାଇଥିଲା । ସେଠାରେ ତାଙ୍କୁ ଗିରଫ କରାଯାଇଥିଲା ଓ ତା’ପରେ ଜାମିନ ମିଳିଯାଇଥିଲା ।