ନୂଆଦିଲ୍ଲୀ: ମେରଠ ଗଙ୍ଗାନଗରରେ ଜଣେ ୨୩ ବର୍ଷୀୟ ଯୁବକଙ୍କ ମୃତ୍ୟୁକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ତେବେ ଯୁବକଙ୍କ ମୃତ୍ୟୁ ସାଧାରଣ ନୁହେଁ, ବରଂ ଏହା ଏକ ରହସ୍ୟଜନକ ମୃତ୍ୟୁ ବୋଲି କୁହାଯାଇଛି । ତେବେ ମୃତକ ଜଣକ ଗତବର୍ଷ କିଛି ଦୁର୍ବୃତ୍ତଙ୍କ ଅତ୍ୟାଚାରର ଶିକାର ହୋଇଥିଲେ । ଦୁର୍ବୃତ୍ତ ଯୁବକଙ୍କୁ ଖୁବ ମାଡ଼ ମାରିବା ସହ ପରିସ୍ରା ପିଆଇଥିବା ଅଭିଯୋଗ ହୋଇଥିଲା । ତେଣୁ ଲୋକେ ହ୍ରିତିକଙ୍କ ମୃତ୍ୟୁ ସହ ଏହି ମାମଲାର କିଛି ସମ୍ପର୍କ ଥିବା ଆଲୋଚନା ହେଉଛି । ତେବେ ପୋଲିସ ଏହି ଆଲୋଚନାକୁ ଖାରଜ କରିଛି ।
ପୋଲିସ ସୂଚନା ମୁତାବକ, ହ୍ରିତିକ ଏବଂ ଯୁବରାଜ ଏକ ହୋଟେଲରେ ତାଙ୍କ ବନ୍ଧୁଙ୍କ ସହ ପ୍ରଚୁର ମଦ୍ୟପାନ କରିଥିଲେ । ଏହାପରେ ରାତି ପ୍ରାୟ ୧.୩୦ ସମୟରେ ଅଚାନକ ହ୍ରିତିକଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଥିଲା । ତେବେ ଯୁବରାଜ ଏବଂ ଅନ୍ୟ ସାଙ୍ଗମାନେ ତାଙ୍କୁ ଅଜୟ ହସ୍ପିଟାଲ ନେଇ ଯାଇଥିଲେ । କିନ୍ତୁ ସ୍ଥିତି ଗମ୍ଭୀର ଥିବାରୁ ହ୍ରିତିକଙ୍କୁ ମେଡିକାଲ କଲେଜକୁ ରେଫର କରି ଦିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ହ୍ରିତିକଙ୍କ ପରିବାର ଲୋକେ ଏ ନେଇ କୌଣସି ମାମଲା ରୁଜୁ କରି ନଥିବା କହିଛି ପୋଲିସ ।
ଗତବର୍ଷ ନଭେମ୍ବର ୧୩ ତାରିଖରେ ମେରଠର ଜାଗୃତି ବିହାର ଅଞ୍ଚଳରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା । ଏଥିରେ ହ୍ରିତିକଙ୍କୁ କିଛି ଲୋକେ ମାଡ଼ ମାରିବା ସହ ତାଙ୍କ ଉପରେ ପରିସ୍ରା କରୁଥିବାର ଦେଖାଯାଇଥିଲା । ତେବେ ଏ ନେଇ ହ୍ରିତିକଙ୍କ ପିତା ଏକ ମାମଲା ରୁଜୁ କରିବା ପରେ ମାମଲାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ସହିତ ମୋଟ ୪ ଜଣଙ୍କୁ ଗିରଫ କରାଯାଇଥିଲା । ତେବେ ଆଜି ହ୍ରିତିକଙ୍କ ମୃତ୍ୟୁ ପରେ ଏହି ମାମଲା ପୁଣିଥରେ ଚର୍ଚ୍ଚାକୁ ଆସିଛି । କିନ୍ତୁ ଉଭୟ ଘଟଣାରେ କୌଣସି ସମ୍ବନ୍ଧ ନଥିବା ପୋଲିସ ପକ୍ଷରୁ କୁହାଯାଇଛି । ସେପଟେ ପୋଲିସ ହୋଟେଲର ସିସିଟିଭି ଯାଞ୍ଚ କରୁଥିବା ବେଳେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।