ଭୁବନେଶ୍ବର: ଦିନକୁ ଦିନ ଦ ସାବରମତୀ ରିପୋର୍ଟର ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି । ତେବେ ଏହି ଚଳଚ୍ଚିତ୍ର ଉପରୁ ଆଜି କର ଛାଡ କରିଛନ୍ତି ରାଜ୍ୟ ସରକାର । ଏନେଇ ଆଜି ବିଧାନସଭାରେ ଘୋଷଣା କଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । କହିରଖୁଛୁ କି, ପୂର୍ବରୁ ମଧ୍ୟପ୍ରଦେଶ ସରକାର ଏହି ଚଳଚ୍ଚିତ୍ର ଉପରୁ ଟ୍ୟାକ୍ସ ଫ୍ରି କରିଥିଲେ ।
ନିର୍ଦ୍ଦେଶକ ଧୀରଜ ସାରନାଙ୍କ ଫିଲ୍ମ ସାବରମତି ରିପୋର୍ଟକୁ ନେଇ ସବୁଆଡେ ଚର୍ଚ୍ଚା ବୃଦ୍ଧି ପାଉଛି । 2002 ରେ ଘଟିଥିବା ଗୋଦ୍ରା ରେଳ ଦୁର୍ଘଟଣାରେ ଅନୁପ୍ରାଣିତ ଏହି ଚଳଚ୍ଚିତ୍ରରେ ବିକ୍ରାନ୍ତ ମେସି, ରାଶି ଖାନ୍ନା ଏବଂ ରିଦ୍ଧି ଡୋଗ୍ରା ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । 22 ବର୍ଷ ପୂର୍ବେ ଗୁଜୁରାଟରେ ଗୋଦ୍ରା ଟ୍ରେନ୍ ଦୁର୍ଘଟଣାରେ 59 ଜଣ ପ୍ରାଣ ହରାଇଥିଲେ । ବକ୍ସ ଅଫିସରେ ଚଳଚ୍ଚିତ୍ରର ଏହା ଦ୍ୱିତୀୟ ସପ୍ତାହ । ପ୍ରଥମ ସପ୍ତାହରେ ଏହା 11.5 କୋଟି ସଂଖ୍ୟା ଅତିକ୍ରମ କରିଛି । ଏହାପୂର୍ବରୁ ଫିଲ୍ମ ‘ଦ ସାବରମତୀ ରିପୋର୍ଟ’କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ପ୍ରଶଂସା କରିସାରିଛନ୍ତି । ଏକତା କପୁରଙ୍କ ପ୍ରଡକ୍ସନ୍ ହାଉସରେ ନିର୍ମିତ ସାବରମତି ରିପୋର୍ଟ 15 ନଭେମ୍ବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ଅନେକ ବିବାଦ ମଧ୍ୟରେ ଏହା ଦର୍ଶକଙ୍କ ମନ ଜିଣିଛି । ସମୋଲୋଚକଙ୍କ ଠାରୁ ଲୋକଙ୍କ ସକରାତ୍ମକ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।