22ରେ ହୋମ ନିଆଁ 27ରେ ଜଳିଲା ଚିତା, ବିବାହର ପଞ୍ଚମ ଦିନ ନବବଧୂର ମୃତ୍ୟୁ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବରେଲୀରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଅଷ୍ଟମଙ୍ଗଳା ନସରୁରୁଣୁ ଆରପାରିକୁ ଚାଲିଗଲେ କନ୍ୟା । ବାଥରୁମରେ ଗିଜର ଫାଟିଯିବା କାରଣରୁ ନବବଧୂଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ବାହାଘରର 5 ଦିନରେ ସକାଳୁ ସକାଳୁ ଗାଧୋଇବା ପାଇଁ ବାଥରୁମ ଯାଇଥିବା ବେଳେ ହଠାତ୍ ଗିଜର ଫାଟିଯାଇଥିଲା । ଫଳରେ ନବବଧୂଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ପରିଜନ ଶଶୁର ଘର ପହଞ୍ଚି ପୋଲିସକୁ ଖବର ଦେଇଥିଲେ । ଖବରପାଇ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।

ଏହି ଦୁଃଖଦ ଘଟଣା, ବରେଲୀ ଥାନା ମରଗଞ୍ଜ କ୍ଷେତ୍ରର ଅଟେ । ତେବେ ନବବଧୂ ସ୍ନାନ କରିବା ସମୟରେ ଏହି ଅଘଟଣ ଘଟିଥିଲା । ତେବେ ବିସ୍ଫୋରଣ ଶବ୍ଦ ଏଭଳି ରହିଥିଲା ଯେ, ଆଖପାଖ ଲୋକ ଏକାଠି ହୋଇଥିଲେ । ଗୁରୁତର ଅବସ୍ଥାରେ ନବବଧୂଙ୍କୁ ହସ୍ପିଟାଲ ନେଉଥିବା ବେଳେ ଅଧରାସ୍ତାରେ ହିଁ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ତେବେ ନବବଧୂଙ୍କ ସହିତ ଏପରି ଅଘଟଣ କାରଣରୁ ପରିବାର ସହିତ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଶୋକର ଛାୟା ଖେଳିଯାଇଥିଲା । ମୃତ ନବବଧୂଙ୍କ ନାମ ଦାମିନି ବୋଲି ଜଣାପଡିଛି । ଦୀପକ ଏବଂ ଦାମିନିଙ୍କର ବିବାହ ଗତ 22 ତାରିଖ ଦିନ ହୋଇଥିଲା । ବାଥରୁମରେ ଗିଜର ଫାଟିଯିବା ପରେ ତାଙ୍କୁ କବାଟ ଭାଙ୍ଗି ଉଦ୍ଧାର କରାଯାଇଥିଲା । ତେବେ ଗିଜର ଠିକ୍ ଥିଲା କିନ୍ତୁ କେଉଁ ପରିସ୍ଥିତିରେ ଭାଙ୍ଗିବା ତାହା ଜାଣିନଥିବା ନବବଧୂର ଶାଶୁଘର ଲୋକେ କହିଛନ୍ତି ।