EPFO 3.0: ଏଟିଏମରୁ ବାହାରିବ ପିଏଫ ଅର୍ଥ, କେନ୍ଦ୍ର ସରକାର କରିବାକୁ ଯାଉଛନ୍ତି ବଡ଼ ପରିବର୍ତ୍ତନ!

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫ) ସହ ଜଡ଼ିତ ନିୟମରେ କିଛି ବଡ଼ ପରିର୍ବ୍ତନ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ମିଡ଼ିଆ ରିପୋର୍ଟ ମୁତାବକ, ସରକାର ଇପିଏଫଓ ୩.୦ ଭର୍ସନ ଅନୁସାରେ ପିଏଫ ଯୋଗଦାନର ଲିମିଟ ସମାପ୍ତ କରିବା, ପିଏଫ୍ ଲିମିଟ୍ ବୃଦ୍ଧି ଓ ପିଏଫ୍ ଅର୍ଥ ଉଠାଣ ପାଇଁ ଏଟିଏମ୍ କାର୍ଡ ଲାଗୁ କରିବା ଉପରେ ବିଚାର କରୁଛନ୍ତି । ଇପିଏଫଓ ସଦସ୍ୟଙ୍କ ସୁବିଧାକୁ ବୃଦ୍ଧି ପାଇଁ ଅନେକ ଉପାୟ ଆପଣାଇବା ପାଇଁ ସରକାର ବିଚାର କରୁଛନ୍ତି । ଏହି ଯୋଜନା ଅନୁସାରେ କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ କର୍ମଚାରୀଙ୍କ ପେନସନ ଯୋଗଦାନ ଓ ଡେବିଟ୍ କାର୍ଡ ପରି ଏକ ଏଟିଏମ୍ କାର୍ଡ ଜାରି କରିବା ଉପରେ ବିଚାର କରୁଛି । ସବୁଠାରୁ ବଡ଼ କଥା ହେଉଛି, ଏହି କାର୍ଡ ଦ୍ୱାରା ଇପିଏଫଓ ସଦସ୍ୟ ଭବିଷ୍ୟତରେ ପିଏଫର ଅର୍ଥ ସିଧାସଳଖ ଏଟିଏମରୁ ବାହାର କରିପାରିବେ ।

ଏହି ଯୋଜନା ଆସନ୍ତା ବର୍ଷ ମେ-ଜୁନ ସୁଦ୍ଧା ଲାଗୁ ହେବା ନେଇ ଆଶା କରାଯାଉଛି । ବର୍ତ୍ତମାନ ଇପିଏଫ ସଦସ୍ୟଙ୍କୁ ଇପିଏଫ ଖାତା ସହ ଜଡ଼ିତ ନିଜର ବ୍ୟାଙ୍କ ଆକାଉଣ୍ଟରେ ଉଠାଣ ଅର୍ଥ ଜମା କରିବା ପାଇଁ ୭ରୁ ୧୦ ଦିନ ଅପେକ୍ଷା କରିବାକୁ ପଡ଼ୁଛି । ସମସ୍ତ ଉଠାଣ ଔପଚାରିକତାକୁ ସାରିବା ପରେ ଓ ଇପିଏଫଓର ଜରୁରୀ ଡକ୍ୟୁମେଣ୍ଟ ଡିପୋଜିଟ କରିବା ପରେ ଏହା ସମ୍ଭବ ହେଉଛି । ତେବେ ସରକାର କର୍ମଚାରୀଙ୍କ ପିଏଫ ଯୋଗଦାନ ଉପରେ ଲାଗୁଥିବା ୧୨ ପ୍ରତିଶତ ସୀମାକୁ ହଟାଇବା ଉପରେ ବିଚାର କରୁଛନ୍ତି । ଏହି ପରିବର୍ତ୍ତନ କର୍ମଚାରୀଙ୍କୁ ସେମାନଙ୍କର ସେଭିଙ୍ଗ ଆଧାରରେ ଅଧିକ ଯୋଗଦାନ କରିବାର ବିକଳ୍ପ ପ୍ରଦାନ କରିବ । ବର୍ତ୍ତମାନ ସମୟରେ କର୍ମଚାରୀ ଓ କର୍ମଚାରୀ ଉଭୟ କର୍ମଚାରୀ ପ୍ରୋଭିଡେଣ୍ଡ ଫଣ୍ଟରେ ୧୨ ପ୍ରତିଶତ ଯୋଗଦାନ ଦେଉଛନ୍ତି । କର୍ମଚାରୀଙ୍କ ଯୋଗଦାନରୁ ୮.୩୩ ପ୍ରତିଶତ ଇପିଏସ-୯୫ ଅନୁସାରେ ପେନସନ କଟରେ ଯାଉଛି ଓ ୩.୬୭ ପ୍ରତିଶତ ଇପିଏଫରେ ଯାଉଛି । କର୍ମଚାରୀ ପିଏଫ ଯୋଗଦାନ ଉପରେ ଲାଗୁଥିବା ସୀମା ହଟାଇଯାଇପାରେ । ମାତ୍ର କର୍ମଚାରୀଙ୍କ ଯୋଗଦାନ ୧୨ ପ୍ରତିଶତରେ ସ୍ଥିର ରହିପାରେ ବୋଲି ରିପୋର୍ଟରେ କୁହାଯାଇଛି ।