ନୂଆଦିଲ୍ଲୀ: ରାଜସ୍ଥାନ କୋଟାରେ ଭୁଶୁଡିଲା ଏକ ନିର୍ମାଣାଧୀନ ଟନେଲ । ଏଥିରେ ଚାପି ହେଇ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ 3ଜଣ ଆହତ ହୋଇଥିବା ଜଣାପଡିଛି । ଏହା ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ଓ୍ବେର ନିର୍ମାଣାଧୀନ ଟନେଲ ରହିଥିଲା । ତେବେ ଆହତଙ୍କୁ ଉଦ୍ଧାର କରାଯାଇ କୋଟା ସହରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରାମଗଞ୍ଜ ମଣ୍ଡି ମୋଡକ ଅଞ୍ଚଳରେ ନିର୍ମାଣଧୀନ ଟନେଲରେ ଏହି ଦୁର୍ଘଟଣା ହୋଇଛି । ଦୁର୍ଘଟଣା ସମୟରେ ଶ୍ରମିକମାନେ ସୁଡଙ୍ଗରେ କାମ କରୁଥୁଲେ ।
ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସ୍ଥାନୀୟ ପୋଲିସ ଏବଂ ଜାତୀୟ ରାଜପଥ ପ୍ରାଧିକରଣ (NHAI) ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ପ୍ରଥମରେ ଆହତଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଏହାପରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କୋଟା ସ୍ଥାନାନ୍ତରିତ କରାଯାଇଛି । କହିରଖୁଛୁ କି, ନିର୍ମାଣାଧୀନ ଟନେଲ ସାଉଣ୍ଡପ୍ରୁଫ ରହିଥିଲା । ଏଥିରେ ଗାଡି ଯାତାୟତ କରିବା ସମୟରେ କୌଣସି ଶବ୍ଦ ଶୁଭିବ ନାହିଁ । 1200 କୋଟି ଟଙ୍କା ଖର୍ଚ୍ଚ କରାଯାଇ ଏହାକୁ ନିର୍ମାଣ କରାଯାଉଥିଲା । 2025 ସୁଦ୍ଧା ଏହାକୁ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା । ଏହାରି ଭିତରେ ଟନେଲଟି ଆଜି ଭୁଶୁଡି ପଡିଛି । ମୃତଙ୍କ ନାମ ଶମଶେର ସିଂହ ରାବତ । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ ଆରମ୍ଭ କରିଛି ।