କୋଲକାତା: ଆନ୍ଦୋଳନରୁ ଓହରିଲେ ପଶ୍ଚିମବଙ୍ଗ ଆଳୁ ବ୍ୟବସାୟୀ । କୃଷି ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ହଟିଲେ ଆଳୁ ବ୍ୟବସାୟୀ । ଶୀତଳଭଣ୍ଡାର କର୍ମଚାରୀ ମଧ୍ୟ ଆନ୍ଦୋଳନରୁ ଓହରିଲେ । କାଲିଠୁ ଶୀତଳ ଭଣ୍ଡାରରୁ ପୂର୍ବପରି ଆଳୁ ବାହାରକୁ ଆସିବ । ହୋଲସେଲ୍ ଓ ରିଟେଲ ମାର୍କେଟକୁ ଆଳୁ ପଠାଯିବ । ଯେପରି ଆଳୁ ଅନ୍ୟ ସ୍ଥାନକୁ ଯାଉଥିଲା ତାହା ପୂର୍ବପରି ଚାଲିବ । ପଶ୍ଚିମବଙ୍ଗ ସରକାର ଅନ୍ୟ ରାଜ୍ୟକୁ ଆଳୁ ବିକ୍ରି ଉପରେ କଟକଣା ଲଗାଇବା ପ୍ରତିବାଦରେ ହୋଲସେଲ ବ୍ୟବସାୟୀମାନେ ଧର୍ମଘଟ କରିଥିଲେ ।
ଫଳରେ ମଙ୍ଗଳବାର ଓଡ଼ିଶାର ବିଭିନ୍ନ ଜିଲ୍ଲାର ବଜାରରେ ଆଳୁର ଖୁଚୁରା ମୂଲ୍ୟ କିଲୋ ପିଛା ୫୦ଟଙ୍କାକୁ ବୃଦ୍ଧି ପାଇଥିଲା । ଗତକାଲି ପଶ୍ଚିମବଙ୍ଗ କୃଷିମନ୍ତ୍ରୀ ବେଚାରାମ ମାନ୍ନାଙ୍କ ସହ ଆଳୁ ବ୍ୟବସାୟୀଙ୍କ ବୈଠକ ବିଫଳ ହେବା ପରେ ପଶ୍ଚିମବଙ୍ଗ ପ୍ରଗତିଶୀଳ ଆଳୁ ବ୍ୟବସାୟୀ କମିଟି ଧର୍ମଘଟ ଜାରି ରଖିବାକୁ ଘୋଷଣା କରିଥିଲେ । ଏପରିକି ପଶ୍ଚିମବଙ୍ଗର ଶୀତଳ ଭଣ୍ଡାର ମାଲିକମାନେ ମଧ୍ୟ ଏହି ଧର୍ମଘଟକୁ ସମର୍ଥନ କରିଥିଲେ ।
ପଶ୍ଚିମବଙ୍ଗ ସରକାର ଅନ୍ୟ ରାଜ୍ୟ ଏବଂ ବାଂଲାଦେଶକୁ ଆଳୁ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଥିଲେ । ରାଜ୍ୟର ଘରୋଇ ଚାହିଦା ପୂରଣ ହେବା ପରେ ଆଳୁକୁ ବାହାରକୁ ପଠାଯାଇପାରିବ ବୋଲି ସରକାର କହିଥିଲେ । ଗତ ସପ୍ତାହରେ ସୀମାରେ ଆଳୁ ବୋଝେଇ ଅନେକ ଟ୍ରକକୁ ଅଟକାଇ ଦିଆଯାଇଥିଲା ।