ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ୧୨,୧୫୫ କୋଟି ୭୩ ଲକ୍ଷ ୫୧ ହଜାର କୋଟି ଟଙ୍କାର ପ୍ରଥମ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ବିଧାନସଭାରେ ପାରିତ ହୋଇଛି । ରାଜ୍ୟ ସରକାର ଏଥିରୁ ବିଭିନ୍ନ ଯୋଜନା ପାଇଁ ଅର୍ଥ ଖର୍ଚ୍ଚ କରିବେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହାରାଷ୍ଟ୍ର ଗ୍ରସ୍ତରେ ଥିବାରୁ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଅତିରିକ୍ତ ବଜେଟ ଉପସ୍ଥାପନ କରିଥିଲେ । ଏହି ଅବସରରେ ସେ ଆଲୋଚନାରେ ଉତ୍ତର ରଖିଥିଲେ ।
ଏହି ବଜେଟରେ ସ୍ୱାସ୍ଥ୍ୟ କ୍ଷେତ୍ର, ମହିଳା ଓ ଶିଶୁ କଲ୍ୟାଣ, ଗୃହ ଓ ନଗର ଉନ୍ନୟନ କ୍ଷେତ୍ର, ପୁଞ୍ଜି ନିବେଶ, ନିରାପତ୍ତା, ଶିକ୍ଷା ଓ ଦକ୍ଷତା ବିକାଶ, ଆଦିବାସୀ ଓ ଜନଜାତି କଲ୍ୟାଣ, ଗ୍ରାମୀଣ ବିକାଶ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ଓଡ଼ିଆ ଭାଷା ଓ ସଂସ୍କୃତି ଉପରେ ଗୁରୁତ୍ୱ ଦିଆଯାଇଛି । ରାଜ୍ୟରେ ମୁଣ୍ଡ ପିଛା ଋଣ ୨୦,୧୭୭ ଟଙ୍କା । ମୁଣ୍ଡ ପିଛା ଋଣ ୨୫ ହଜାର, ୨୭ ହଜାର ଟଙ୍କାକୁ ବୃଦ୍ଧି ପାଇଲା ବୋଲି ବିରୋଧୀଙ୍କ ପକ୍ଷରୁ ଯାହା କୁହାଯାଇଛି, ତା’ର କୌଣସି ବାସ୍ତବିକତା ନାହିଁ । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ମୁଣ୍ଡ ପିଛା ଋଣ କମ୍ ରହିଛି । ଗତ ବର୍ଷ ଶେଷ ତୁଳନାରେ ଚଳିତ ବର୍ଷ ଅକ୍ଟୋବର ମାସରେ ରାଜ୍ୟରେ ମୁଣ୍ଡପିଛା ଋଣ କମ୍ ରହିଛି ।
ନିର୍ବାଚନ ମଣ୍ଡଳୀ ଅନୁଯାୟୀ ଆବଣ୍ଟନକୁ (ସିଡବ୍ଲ୍ୟୁଏ) ୧୪୨କୋଟି ଟଙ୍କା ଏହି ବଜେଟରେ ବରାଦ କରାଯାଇଛି । ପୂର୍ବରୁ ଏହା ସର୍ବାଧିକ ୨୮କୋଟି ଟଙ୍କା ରହିଥିଲା । ଏହା ଫଳରେ ରାଜ୍ୟର ବିଧାୟକମାନେ ନିଜ ନିଜର ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ପାଇଁ ଅତିରିକ୍ତ ପ୍ରାୟ ୧କୋଟି ଟଙ୍କା ଲେଖାଏଁ ଖର୍ଚ୍ଚ କରିପାରିବେ । ସାଧାରଣ ନିର୍ବାଚନ ପାଇଁ ଲାଗିଥିବା ଆଦର୍ଶ ଆଚରଣ ବିଧି ଯୋଗୁ ବିଭିନ୍ନ ପ୍ରକଳ୍ପ ପାଇଁ ଟେଣ୍ଡର ହୋଇପାରିନଥିଲା । ତେଣୁ ତା’ପରେ ଏବେ ଟେଣ୍ଡର ହୋଇଛି ଓ ବିଭିନ୍ନ ପ୍ରକଳ୍ପ ବାବଦକୁ ଅର୍ଥ ଖର୍ଚ୍ଚ ବିଳମ୍ବ ହୋଇଛି । ଚଳିତ ଆର୍ôଥକ ବର୍ଷରେ ରାଜ୍ୟ ସରକାର ପୂର୍ବ ସରକାର ତୁଳନାରେ ଅଧିକ ଅର୍ଥ ଖର୍ଚ୍ଚ କରିବେ ।
ସେହିପରି ରାଜସ୍ୱ ସଂଗ୍ରହ ହ୍ରାସ ହେବା ନେଇ ବିଧାୟକମାନେ ଯେଉଁ ଅଭିଯୋଗ ଆଣୁଛନ୍ତି ତାହା ମିଛ । ଏ କ୍ଷେତ୍ରରେ ୧୦ ପ୍ରତିଶତ ବୃଦ୍ଧି ଘଟିଛି । ଏହା ବଜେଟ୍ ଆକଳନର ୫୪.୫ ପ୍ରତିଶତ ଅଟେ । ବର୍ଷ ଶେଷ ସୁଦ୍ଧା ରାଜ୍ୟ ସରକାର ଟାର୍ଗେଟ୍ ରାଜସ୍ୱ ସଂଗ୍ରହ କରିବେ । ଏହି ଅତିରିକ୍ତ ବ୍ୟୟବରାଦ ମାଧ୍ୟମରେ ରାଜସ୍ୱ ବଳକା ପରିସ୍ଥିତି ବଜାୟ ରଖାଯିବ । ଆର୍ôଥକ ନିଅଣ୍ଟକୁ ଜିଏସଡିପିର ୩.୫ ପ୍ରତିଶତ ମଧ୍ୟରେ ରଖିବୁ ଏବଂ ଜିଏସଡିପି ତୁଳନାରେ ଋଣଭାରକୁ ନିର୍ଦ୍ଧାରିତ ସ୍ତର ମଧ୍ୟରେ ସୀମିତ ରଖିବୁ ବୋଲି ମନ୍ତ୍ରୀ କହିଥିଲେ । ଏଥିସହିତ ବଜେଟରେ ବରାଦ ହୋଇଥିବା ଅର୍ଥ ରାଜ୍ୟର ବିଭିନ୍ନ ଜନକଲ୍ୟାଣ ଓ ଉନ୍ନୟନମୂଳକ କାର୍ଯ୍ୟରେ ବିନିଯୋଗ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସୂଚନା ଦେଇଥିଲେ ।