ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ବିଧାନସଭାରେ ସାର୍ବଜନିନ ପରୀକ୍ଷା ବିଲ୍ ୨୦୨୪ ବିଧାନସଭାରେ ଆଗତ ହୋଇଛି । ଏହି ବିଲକୁ ବିଧାନସଭାରେ ଆଗତ କରିବା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବ ସରକାର ଉପରେ ବର୍ଷିଛନ୍ତି । ଗତ ସରକାର ଅମଳରେ ରାଜ୍ୟରେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ଚାକିରି ୨୫-୩୦ ଲକ୍ଷ ଟଙ୍କାରେ ବିକ୍ରି ହେଉଥିଲା । ନିଯୁକ୍ତି ଦାୟିତ୍ୱରେ ଯେଉଁ ଅଧିକାରୀମାନେ ରହୁଥିଲେ, ସେମାନେ ନିଜେ ହିଁ ପରୀକ୍ଷା ପ୍ରଶ୍ନ ପତ୍ର ପ୍ରଘଟରେ ସଂପୃକ୍ତ ରହୁଥିଲେ । ଗତ ବର୍ଷ ହୋଇଥିବା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ)ରେ ତ୍ରୁଟି ହୋଇଥିବା ବେଳେ ସଚିବାଳୟରେ ବି ନିଯୁକ୍ତିରେ ବଡ଼ ଧରଣରର ଚଞ୍ଚକତା ହୋଇଥିଲା ବୋଲି ମୁଖ୍ୟମନ୍ତ୍ରୀ ବଡ଼ ଅଭିଯୋଗ ଆଣିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର ଆଗାମୀ ପୀଢ଼ିଙ୍କ ସହ ପୂର୍ବ ସରକାର ଛଳନା ଓ ପ୍ରତାରଣା କରୁଥିଲେ । ପୂର୍ବ ସରକାରର ଏହି ଲିଗାସୀକୁ ଭାଙ୍ଗିବାକୁ ପଡ଼ିବ । ପୂର୍ବ ସରକାର ସମୟରେ ରାଜ୍ୟରେ ନିଯୁକ୍ତିରେ କୌଣସି ସ୍ୱଚ୍ଛତା ନଥିଲା, କେବଳ ଦୁର୍ନୀତି ହିଁ ଭରି ରହିଥିଲା । ନିଯୁକ୍ତି ପରୀକ୍ଷା ଦାୟିତ୍ୱରେ ରହୁଥିବା ଅଧିକାରୀମାନେ ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ରାକେଟରେ ଲିପ୍ତ ରହୁଥିଲେ । ପୂର୍ବ ସରକାର କେବଳ ଆଉଟସୋର୍ସରେ ରହିଯାଇଥିଲା । ବିରୋଧୀ ଦଳ ଯଦି ଚାହିଁବେ, ତେବେ ସେମାନେ ଗୃହକୁ ଆସି ଏ ବାବଦରେ ମତାମତ ରଖିପାରିବେ । ସରକାରଙ୍କ ନାକ ତଳେ ଏହି ଦୁର୍ନୀତି ହେଉଥିଲେ ହେଁ ସରକାର କାହିଁକି ଚୁପ୍ ଥିଲେ ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଛନ୍ତି ।