ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବନେଟରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଦେଶରେ ୮୫ଟି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବ । ଏଥିସହିତ ୨୮ଟି ନୂଆ ନବୋଦୟ ଖୋଲିବ । କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟ ଖୋଲିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ମିଳିଛି । କ୍ୟାବିନେଟରେ ଏହି ନିଷ୍ପତ୍ତି ଫଳରେ ଆଗାମୀ ଦିନରେ ଦେଶରେ କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟ ସଂଖ୍ୟାରେ ବୃଦ୍ଧି ଘଟିବ । କେନ୍ଦ୍ର ସରକାର ଜାତୀୟ ଶିକ୍ଷା ନୀତି (ଏନଇପି)-୨୦୨୦ ସାରା ଦେଶରେ ଲାଗୁ କରିବାକୁ ପଦକ୍ଷେପ ଗ୍ରହଣ କରିସାରିଥିବା ବେଳେ ଶିକ୍ଷାର ବିକାଶ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଅନେକ ଗରିବ ଶ୍ରେଣୀର ମେଧାବୀ ଛାତ୍ରଛାତ୍ରୀ ଶିକ୍ଷା କ୍ଷେତ୍ରରେ ବିଶେଷ ଭାବେ ଉପକୃତ ହୋଇ ପାରିବେ ।
ଏନେଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ନୂଆ ଶିକ୍ଷା ନୀତିକୁ ଲାଗୁ କରିବା ପାଇଁ ପିଏମ୍ ଶ୍ରୀ’କୁ ଅଣାଯାଇଛି । ସମସ୍ତ କେଭି ଓ ନବୋଦୟ ବିଦ୍ୟାଳୟକୁ ‘ପିଏମ ଶ୍ରୀ’ ସ୍କୁଲ ଭାବେ ନାମିତ କରାଯିବ । କ୍ୟାବିନେଟରେ ଦିଲ୍ଲୀ ମେଟ୍ରୋର ଚତୁର୍ଥ ପର୍ଯ୍ୟାୟ ରିଠାଲା-କୁଣ୍ଡଲୀ କରିଡରକୁ ମଞ୍ଜୁରୀ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ଦିଲ୍ଲୀ ମେଟ୍ରୋର ଚତୁର୍ଥ ପର୍ଯ୍ୟାୟର ୨୬.୪୬୩ କିମିର ଏହି କରିଡରକୁ ମଞ୍ଜୁରୀ ମିଳିଛି । ଏହି କରିଡରକୁ ମଞ୍ଜୁରୀ ତାରିଖ ଠାରୁ ୪ ବର୍ଷ ମଧ୍ୟରେ ପୂରା କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ପରିଯୋଜନା ପାଇଁ ୬୨୩୦ କୋଟି ଟଙ୍କା ଖର୍ଚ୍ଚ ହେବ । ସେହିପରି ଓଡ଼ିଶାରେ ଏବେ ୬୬ଟି କେଭି ରହିଥିବା ବେଳେ ଏଠାରେ ଆଉ ୮ଟି କେଭି ଖୋଲାଯିବ । ଦେଶରେ ୮୫ଟି ନୂଆ କେଭିର ସ୍ଥାପନ ଓ ବର୍ତ୍ତମାନର ଗୋଟିଏ କେଭିର ବିସ୍ତାର ପାଇଁ ଆନୁମାନିକ ୫୮୭୨.୦୮ କୋଟି ଟଙ୍କାର ଆବଶ୍ୟକତା ପଡ଼ିବ । ବର୍ତ୍ତମାନ ସମୟରେ ୧୨୫୬ଟି କେଭି କାର୍ଯ୍ୟ କରୁଥିବା ବେଳେ ସେଥିମଧ୍ୟରୁ ୩ଟି ମସ୍କୋ, କାଠମାଣ୍ଡୁ ଓ ତେହରାନରେ ରହିଛି । ଏହି କେଭିଗୁଡ଼ିକରେ ୧୩.୫୬ ଲକ୍ଷ ଛାତ୍ରଛାତ୍ରୀ ପଡ଼ୁଛନ୍ତି ।