ଭୁବନେଶ୍ବର: ଦେଶ ତଥା ବିଶ୍ବରୁ ପ୍ରତିଦିନ ଭୟଙ୍କର ଭିଡିଓ ଆସୁଛି । କେତେବେଳେ ସିଂହ, ଚିତାବାଘ ରାସ୍ତାରେ ପ୍ରବେଶ କରୁଛନ୍ତି ତ କେତେବେଳେ ଘରେ ସାପ ପ୍ରବେଶ କରୁଛି । ଏହାରି ଭିତରେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି ଯାହାକି ସମସ୍ତଙ୍କୁ ଚକିତ କରିଦେଇଛି । ଏହି ଭିଡ଼ିଓଟି ମାଲେସିଆର ବୋଲି ଜଣାପଡିଛି । 80 କିଲୋଗ୍ରାମ କଳା ରଙ୍ଗର ଅଜଗର ଘରର ଛାତକୁ ଚିରି ଘର ଭିତରକୁ ପ୍ରବେଶ କରୁଥିବା ଦେଖାଯାଇଛି । ପରିବାର ସଦସ୍ୟମାନେ ଏହି ବିଶାଳ ପାଇଥନ୍ ଦେଖିବା ମାତ୍ରେ ସେମାନଙ୍କ ପାଦ ତଳୁ ମାଟି ଖସିଗଲା ଭଳି ମନେହେଉଛି । ଏହାପରେ ରେସ୍କ୍ୟୁ ଟିମ୍ ଆସି ସାପକୁ ଉଦ୍ଧାର କରିଛି । ତେବେ ଛାତ କଣା କରି ଘରକୁ ପ୍ରବେଶ କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଭିଡିଓରେ ଦେଖାଯାଇଛି ଯେ, ଘରର ଧଳା ରଙ୍ଗର ଛାତରୁ 20 ମିଟର ଏବଂ 80 କିଲୋଗ୍ରାମ ବିଶିଷ୍ଟ ଅଜଗର ପ୍ରଥମେ ଘରର ଛାତ କଣା କରିଲା । ଏହାପରେ ଝିଟିପିଟି ଭଳି ଗୁରୁଣ୍ଡି ଗୁରୁଣ୍ଡି କାନ୍ଥରେ ଚାଲିଲା । ତେବେ ଲମ୍ବା ହୋଇଥିବା କାରଣରୁ ଶରୀରର ଅଧା ଅଂଶ ସୋଫା ଉପରେ ମଧ୍ୟ ପଡି ରହିଥିଲା । ଏହାକୁ ଦେଖିବା ପରେ ପରିବାର ଲୋକେ ଭୟଭୀତ ହୋଇଯାଇଥିଲେ । ଏହାପରେ ସଙ୍ଗେସଙ୍ଗେ ରେସ୍କ୍ୟୁ ଟିମକୁ ଖବର ଦିଆଯାଇଥିଲା । ଯେତେବେଳେ ଉଦ୍ଧାରକାରୀ ଦଳ ଏହି ପାଇଥନ୍ ଦେଖିଲେ, ସେମାନେ ମଧ୍ୟ କିଛି ସମୟ ପାଇଁ ଚକିତ ହୋଇଯାଇଥିଲେ । ତେବେ କୌଣସି ପ୍ରକାରେ ଉଦ୍ଧାରକାରୀ ଦଳ ସୁରକ୍ଷିତ ଭାବେ ଏହି ପାଇଥନକୁ ଘରୁ ବାହାର କରି ଜଙ୍ଗଲରେ ଛାଡ଼ିଦେଇଥିଲେ ।
View this post on Instagram