ଗୃହରେ ଆଇନ ମନ୍ତ୍ରୀଙ୍କ ଉତ୍ତର: ବଢି ଚାଲିଛି ମଦ ବିକ୍ରି, ଆଗରେ ରହିଛି ବରଗଡ଼

ଭୁବନେଶ୍ବର: ରାଜ୍ୟରେ ବଢୁଛି ଅବକାରୀ ରାଜସ୍ବ । ବର୍ଷକୁ ବର୍ଷ ମଦ ବିକ୍ରି ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏନେଇ ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ଆଇନ ଏବଂ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ତେବେ ଏହା ସ୍ପଷ୍ଟ କରୁଛି ଯେ, ରାଜ୍ୟରେ କିଭଳି ଭାବେ ମଦ ବିକ୍ରି ବୃଦ୍ଧି ପାଉଛି ଏବଂ ମଦୁଆଙ୍କ ସଂଖ୍ୟା ମଧ୍ୟ ବଢୁଛି ।

ଆଇନ ମନ୍ତ୍ରୀ ଗୃହରେ କହିଛନ୍ତି, 2022-23 ମସିହାରେ 5 କୋଟି 83 ଲକ୍ଷ 44 ହଜାର ଦେଶୀ ମଦ ବିକ୍ରି ହୋଇଥିବା ବେଳେ 2023-24ରେ 5 କୋଟି 88 ଲକ୍ଷ 85 ହଜାର ମଦ ବିକ୍ରି ହୋଇଛି । ଯଦି ଦେଶୀ ମଦ ବିକ୍ରି କଥା ଦେଖିବା ତାହେଲେ 2023-23 ମସିହାରେ 84 ଲକ୍ଷ 37 ହଜାର ଲିଟର ଦେଶୀ ମଦ ବିକ୍ରି ହୋଇଥିବା ବେଳେ 2023-24 ମସିହାରେ 98 ଲକ୍ଷ 43 ହଜାର ଲିଟର ମଦ ବିକ୍ରି ହେଉଛି । ଏହାକୁ ତାଳ ଦେଇ ଅବକାରୀ ରାଜସ୍ବ ମଧ୍ୟ ମିଳିଛି । 2023-24 ଆର୍ଥିକ ବର୍ଷରେ ଏହା 7 ଲକ୍ଷ 21ହଜାର 699 ଟଙ୍କାରେ ପହଞ୍ଚିଛି ।  ସେହିପରି ୨୦୨୨-୨୩ ରେ ୧୨ କୋଟି ୯ ଲକ୍ଷ ୬୭ ହଜାର ବଲ୍କ ଲିଟର ବିକ୍ରି ହୋଇଥିବା ବେଳେ ୨୦୨୩-୨୪ ରେ ଏହା ବଢି ୧୫ କୋଟି ୩୫ ଲକ୍ଷ ୭୨ ହଜାର ବଲ୍କ ଲିଟର ବିକ୍ରି ହୋଇଛି । ଯଦି ମଦ ରାଜସ୍ବ କଥା ଦେଖିବା ତାହେଲେ ସବୁଠାରୁ ଅଧିକ ବରଗଡ ଜିଲ୍ଲାରୁ ଆସୁଛି । ବରଗଡରୁ ସର୍ବାଧିକ 124 କୋଟି 99 ଲକ୍ଷର ଅବକାରୀ ରାଜସ୍ବ ଆସୁଛି । ବରଗଡ ପଛକୁ ରହିଛି ଗଞ୍ଜାମ । ଏଠାରୁ 100 କୋଟି 96 ଲକ୍ଷର ଅବକାରୀ ରାଜସ୍ବ ଆଦାୟ କରାଯାଇଛି ।