ନୂଆଦିଲ୍ଲୀ: ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ୍ ସୁକ-ୟିଓଲ ଚଳିତ ସପ୍ତାହରେ ମାର୍ଶାଲ ଲ’ ଲାଗୁ କରିଥିବାରୁ କ୍ଷମା ପ୍ରାର୍ଥନା କରିଛନ୍ତି । ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ଟେଲିଭିଜନ୍ ଅଭିଭାଷଣରେ ସେ କହିଛନ୍ତି, ମାର୍ଶାଲ ଲ’ ଲାଗୁ କରିଥିବାରୁ ମୁଁ ଅତ୍ୟନ୍ତ ଦୁଃଖିତ । ଯେଉଁମାନେ ଏହି କାରଣରୁ ଦୁଃଖରେ ଅଛନ୍ତି ସେମାନଙ୍କୁ ମୁଁ କ୍ଷମା ପ୍ରାର୍ଥନା କରିବାକୁ ଚାହୁଁଛି । ସାମରିକ ଆଇନ ଘୋଷଣା କରି ଏହାକୁ ଉଚ୍ଛେଦ କରିବା ପରେ ରାଷ୍ଟ୍ରପତି ତାଙ୍କ ପ୍ରଥମ ଅଭିଭାଷଣରେ ଇସ୍ତଫା ଘୋଷଣା କରିପାରନ୍ତି ବୋଲି କଳ୍ପନାଜଳ୍ପନା କରାଯାଉଥିଲା, କିନ୍ତୁ ତାହା ହୋଇନଥିଲା ।
ପରିସ୍ଥିତିକୁ ସ୍ଥିର କରିବା ର ଦାୟିତ୍ୱ ସେ ଶାସକ ଦଳକୁ ଦେବେ ବୋଲି ରାଷ୍ଟ୍ରପତି କହିଛନ୍ତି । ସେ ତାଙ୍କ ଭାଷଣରେ ମହାଭିଯୋଗ ବିଷୟରେ ମଧ୍ୟ ଉଲ୍ଲେଖ କରିନଥିଲେ । ମଙ୍ଗଳବାର ହଠାତ୍ ଦେଶରେ ମାର୍ଶାଲ ଲ’ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ ୟୁନ ସୁକ-ୟେଓଲ । ‘ଦେଶ ବିରୋଧୀ ଶକ୍ତି’ ଏହି ପଦକ୍ଷେପ ନେବାର କାରଣ ବୋଲି ସେ ଦର୍ଶାଇଛନ୍ତି । ମାର୍ଶାଲ ଲ’ ଲାଗୁ ହେବା ପରେ ଦେଶରେ ତୀବ୍ର ପ୍ରତିବାଦ ଆରମ୍ଭ ହୋଇଥିଲା । ରାଷ୍ଟ୍ରପତିଙ୍କ ଇସ୍ତଫା ଦାବି କରିବା ସହ ତାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଅଣାଯିବ ବୋଲି ବିରୋଧୀ କହିଥିଲେ ।