Thank You Modi Ji: ରାଜ୍ୟରେ ୮ଟି ନୂଆ KV ସ୍ଥାପନ ନିଷ୍ପତ୍ତି ପରେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଓଡ଼ିଶାରେ ୮ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ରୀୟ ଆର୍ôଥକ ବ୍ୟାପାର କ୍ୟାବିନେଟ କମିଟି ମଞ୍ଜୁରୀ ପ୍ରଦାନ କରିଥିବାରୁ ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶର ଶିକ୍ଷା ବ୍ୟବସ୍ଥା ସୁଦୃଢ ହେଉଛି । ଏହି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଗୁଡିକ ଦ୍ୱାରା ଓଡିଶାର ଆହୁରି ଅନେକ ଛାତ୍ରଛାତ୍ରୀ ଗୁଣାତ୍ମକ ଶିକ୍ଷା ଲାଭ କରି ନିଜ ପ୍ରତିଭାର ବିକାଶ କରିବା ସହିତ ଦେଶର ବିକାଶରେ ଯୋଗଦାନ ରଖିବାର ସାମର୍ଥ୍ୟ ହାସଲ କରିପାରିବେ । ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ନୂତନ ଶିକ୍ଷା ନୀତି- ୨୦୨୦ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଭାର ବିକାଶ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡିଶାରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ମନ୍ତ୍ରୀ ସ୍ୱତନ୍ତ୍ର ଧ୍ୟାନ ରଖିଛନ୍ତି । ଜାତୀୟ ଶିକ୍ଷା ନୀତି ଆଧାରରେ ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ମନ୍ତ୍ରୀ ସଫଳତାର ସହ ପଦକ୍ଷେପ ନେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଗୁଡିକ କୁଚିଣ୍ଡା, ତାଳଚେର, ଆଠମଲ୍ଲିକ, କାମାକ୍ଷାନଗର, ଆଇ.ଟି.ବି.ପି. ଖୋର୍ଦ୍ଧା, ଜୟପୁର, ଟିଟିଲାଗଡ ଓ ପାଟଣାଗଡରେ ସ୍ଥାପନ କରାଯିବ । ସୂଚନାଯୋଗ୍ୟ ଯେ, ଦେଶରେ ୮୫ଟି କେନ୍ଦ୍ରୀୟ ବିଦ୍ୟାଳୟ ଓ ୨୮ଟି ନୂଆ ନବୋଦୟ ଖୋଲିବା ନେଇ ଡିସେମ୍ବର ୬ରେ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ମିଳିଥିଲା । ନୂଆ ଶିକ୍ଷା ନୀତିକୁ ଲାଗୁ କରିବା ପାଇଁ ପିଏମ୍ ଶ୍ରୀ’କୁ ଅଣାଯାଇଛି । ସମସ୍ତ କେଭି ଓ ନବୋଦୟ ବିଦ୍ୟାଳୟକୁ ‘ପିଏମ ଶ୍ରୀ’ ସ୍କୁଲ ଭାବେ ନାମିତ କରାଯିବ ବୋଲି କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ । ସୂଚନାଯୋଗ୍ୟ ଯେ, ଓଡ଼ିଶାରେ ୮ଟି ନୂଆ କେଭି ଖୋଲିବା ଫଳରେ ରାଜ୍ୟରେ ଶିକ୍ଷାର ବିକାଶ ହେବା ସହ ଛାତ୍ରଛାତ୍ରୀମାନେ ବିଶେଷ ଭାବେ ଉପକୃତ ହେବେ । ଏହି ଅବସରରେ ଓଡ଼ିଶାବାସୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି ।