PM ମୋଦୀଙ୍କୁ ମାରିବା ପାଇଁ ଆସିଲା ଧମକ: ମୁମ୍ବାଇ ପୋଲିସକୁ ମେସେଜ୍ ପରେ ତନାଘନା

ମୁମ୍ବାଇ: ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହତ୍ୟା କରିବା ନେଇ ଆସିଛି ଧମକପୂର୍ଣ୍ଣ ମେସେଜ୍ । ମୁମ୍ବାଇ ପୋଲିସକୁ ଏ ନେଇ ଏକ ମେସେଜ୍ ମିଳିଥିବା ସୂଚନା ମିଳିଛି । କେହି ଜଣେ ମୁମ୍ବାଇ ପୋଲିସକୁ ଫୋନକୁ ମେସେଜ୍ କରି ଏହି ଧମକ ଦେଇଥିବା ଜଣାଯାଇଛି । ଏହାପରେ ମୁମ୍ବାଇ ପୋଲିସ ସଜାଗ ହୋଇ ଛାନଭିନ ଆରମ୍ଭ କରିଦେଇଛି ।

ଯେଉଁ ନମ୍ବରରୁ ମେସେଜ ଆସିଥିଲା, ଏହାକୁ ଟ୍ରେସ କରିବାରେ ସଫଳ ହୋଇଛି ପୋଲିସ । ଏହି ନମ୍ବର ରାଜସ୍ଥାନର ଆଜମେର ଅଞ୍ଚଳର ବୋଲି ପୋଲିସ ଖୋଳତାଡ଼ରୁ ପାଇଛି ପୋଲିସ । ତେବେ ନମ୍ବର ଟ୍ରେସ ହେବା ପରେ ସନ୍ଦିଗ୍ଧକୁ ଧରିବା ପାଇଁ ଏକ ଟିମ୍ ଆଜମେର ଯାଇଛନ୍ତି । ଏ ନେଇ ଏକ ବିଶେଷ ସୂତ୍ରରୁ ସୂଚନା ମିଳିଛି ।

ଟ୍ରାଫିକ ପୋଲିସ ହେଲ୍ପଲାଇନ ହ୍ୱାଟ୍ସଆପ୍ ନମ୍ବରରେ ଦୁର୍ବୃତ୍ତ ଏହି ମେସେଜ ପଠାଇଥିଲେ । ଏଥିରେ ୨ ଜଣ ଆଇଏସଆଇ ଏଜେଣ୍ଟ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରିବା ପାଇଁ ବୋମା ବିସ୍ଫୋରଣ କରିବାର ଷଡ଼ଯନ୍ତ୍ର ବିଷୟରେ ଧମକ ଦିଆଯାଇଛି । ତେବେ ଧମକ ଦେଇଥିବା ସନ୍ଦିଗ୍ଧ ବ୍ୟକ୍ତି ଜଣକ ମାନସିକ ବିକୃତ କିମ୍ବା ନିଶାରେ ଥିବା ଅନୁମାନ କରାଯାଇଛି । ଏହାପରେ ମଧ୍ୟ ମୋଦୀଙ୍କୁ ହତ୍ୟା ଧମକ ନେଇ ପୋଲିସ ସଜାଗ ହୋଇଉଠିଛି । ମୁମ୍ବାଇ ଟ୍ରାଫିକ ପୋଲିସର ହେଲ୍ପଲାଇନକୁ ଅତୀତରେ ଅନେକ ଥର ଠକାମିର ବାର୍ତ୍ତା ମିଳିଥିଲା।