ନୂଆଦିଲ୍ଲୀ: ପୁଣି ମୁଣ୍ଡ ଟେକିଛି ଡିଜିଜ ଏକ୍ସ । କଙ୍ଗୋରେ ଡିଜିଜ ଏକ୍ସ ମହାମାରୀ ପାଇଁ କଲବଲ ହୋଇଛନ୍ତି ଲୋକେ । ଗତ କିଛି ଦିନ ମଧ୍ୟରେ 79ଜଣଙ୍କ ଜୀବନ ଯାଇଥିବା ଜଣାପଡିଛି । ତେବେ କାହିଁକି ହଠାତ୍ ମହାମାରୀ ସୃଷ୍ଟି ହେଲା ସେନେଇ କୌଣସି ସ୍ପଷ୍ଟତା ଆସିନଥିବା ବେଳେ ଡେମୋକ୍ରାଟିକ ରିପବ୍ଲିକ ଅଫ କଙ୍ଗୋର ସ୍ବାସ୍ଥ୍ୟ ଅଧିକାରୀମାନେ ଏହି ରୋଗ ବିଷୟରେ ଜାଣିବା ପାଇଁ କାର୍ଯ୍ୟ ଜାରି ରଖିଛନ୍ତି । ତେବେ ଚିନ୍ତା ଜନକ ବିଷୟ ହେଉଛି 5 ବର୍ଷରୁ କମ୍ ବୟସର ଶିଶୁ ଅଧିକ ଆକ୍ରାନ୍ତ ହେଉଛନ୍ତି । ଶନିବାର ସୁଦ୍ଧା 79 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 376ଜଣ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 200 ଜଣ 5 ବର୍ଷରୁ କମ୍ ବୟସର ଶିଶୁ ରହିଛନ୍ତି ।
ସୂଚନା ଅନୁସାରେ, ପ୍ରଥମ ରୋଗୀ ଅକ୍ଟୋବର 24 ତାରିଖରେ କଙ୍ଗୋ ପ୍ରଦେଶରପାଞ୍ଜି ହେଲ୍ପ ଜୋନରେ ଚିହ୍ନଟ ହୋଇଥିଲେ । ଏନେଇ ଆଫ୍ରିକା ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ରର ନିର୍ଦ୍ଦେଶକ ଜିନ୍ କାସେୟାଙ୍କର କହିବା ଅନୁସାରେ, କାହିଁକି ଏଭଳି ଭୟଙ୍କର ସ୍ଥିତି ଉପୁଜିଛି ସେନେଇ ଟିମ ତଦନ୍ତ ଜାରି ରଖିଛନ୍ତି । କିନ୍ତୁ ଏଥିପାଇଁ 5ରୁ 6 ମାସ ସମୟ ଲାଗିପାରେ । ଏହାର କାରଣ ଜଣାନପଡିବା ପର୍ଯ୍ୟନ୍ତ ଆମକୁ ସତର୍କ ରହିବା ଜରୁରୀ ଅଟେ । କିନ୍ତୁ ଏହା ଏକ ବାୟୁବାହିତ ରୋଗ ବୋଲି ଆଶଙ୍କା କରାଯାଉଛି । କୋଭିଡ-19 ମହାମାରୀ ଦେଶରେ ହଇଚଇ ସୃଷ୍ଟି କରିଥିବା ବେଳେ ବର୍ତ୍ତମାନ ଏହା ଲୋକଙ୍କ ଚିନ୍ତାକୁ ଦୁଇଗୁଣିତ କରିଛି । ଚଳିତବର୍ଷ ପ୍ରାରମ୍ଭରେ ଆନ୍ତର୍ଜାତୀୟ ସ୍ତରରେ ମଙ୍କିପକ୍ସର ନୂଆ ଷ୍ଟ୍ରେନ ବ୍ୟାପିବା ପରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଜନସ୍ବାସ୍ଥ୍ୟ ଜରୁରିକାଳୀନ ପରିସ୍ଥିତି ଘୋଷଣା କରିଥିଲା । ବର୍ତ୍ତମାନ ସୁଦ୍ଧା ପ୍ରଦେଶର 30ଟି ହେଲ୍ପ ଜୋନ ମଧ୍ୟରୁ 7ଟିରେ ଏହି ରୋଗ ଚିହ୍ନଟ ହୋଇଥିବା କଥା କୁହାଯାଇଛି ।