ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର କାର୍ଯ୍ୟକାରୀ ସଚିବଙ୍କ ନାମ ଘୋଷଣା କରାଯାଇଛି । ବିସିସିଆଇର କାର୍ଯ୍ୟକାରୀ ସଚିବ ଭାବେ ଦେବଜିତ ସୈକିୟାଙ୍କୁ ନିଯୁକ୍ତି ଦେଇଛନ୍ତି ବିସିସିଆଇ ଅଧ୍ୟକ୍ଷ ରୋଜର ବିନ୍ନୀ । ଜୟ ଶାହଙ୍କ ପରେ ଏହି ପଦ ଖାଲି ପଡ଼ିଥିବା ବେଳେ ଏବେ ଦେବଜିତ ଏହି ଦାୟିତ୍ୱ ସମ୍ଭାଳିବେ । ଗତ ୧ ତାରିଖରୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ନୂଆ ଅଧ୍ୟକ୍ଷ ଭାବେ ଜୟ ଶାହ ପଦ ସମ୍ଭାଳିବା ପରେ ଏହି ପଦ ଖାଲି ପଡ଼ିଥିଲା ।
ବିସିସିଆଇ ଅଧ୍ୟକ୍ଷ ବିନ୍ନୀ ନିଜର ସାମ୍ବିଧାନିକ କ୍ଷମତାର ଉପଯୋଗ କରି ଦେବଜିତଙ୍କୁ ବିସିସିଆଇର କାର୍ଯ୍ୟକାରୀ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି । ବିସିସିଆଇର ନିୟମ ଅନୁସାରେ, ଯେ ପର୍ଯ୍ୟନ୍ତ ସ୍ଥାୟୀ ସଚିବଙ୍କ ନିଯୁକ୍ତି ହୋଇନାହିଁ, ସେ ପର୍ଯ୍ୟନ୍ତ କାର୍ଯ୍ୟକାରୀ ସଚିବ ବୋର୍ଡର ଦାୟିତ୍ୱ ସମ୍ଭାଳି ପାରନ୍ତି । ଏହା ଏକ ଅସ୍ଥାୟୀ ବ୍ୟବସ୍ଥା । ସୂଚନାଯୋଗ୍ୟ ଯେ, ଅସମ ବାସିନ୍ଦା ସୈକିୟା ଜଣେ ପୂର୍ବତନ ପ୍ରଥମ ଶ୍ରେଣୀ କ୍ରିକେଟର ଅଟନ୍ତି । ଆସନ୍ତା ବର୍ଷ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ସୈକିୟା ଏହି ପଦରେ ରହିବେ । ତା’ପରେ ସ୍ଥାୟୀ ଜଣେ ନୂଆ ସଚିବଙ୍କୁ ନିଯୁକ୍ତି ଦିଆଯିବ ।