ନୂଆଦିଲ୍ଲୀ: ଏସୀୟ କ୍ରିକେଟ ପରିଷଦ (ଏସିସି) ପକ୍ଷରୁ ୟୁଏଇରେ ଚାଲିଥବବା ଅଣ୍ଡର-୧୯ ପୁରୁଷ ଏସିଆ କପ୍ ଫାଇନାଲରେ ଭାରତ ପରାସ୍ତ ହୋଇଛି । ଅନ୍ୟପକ୍ଷରେ ଫାଇନାଲ ମୁକାବିଲାରେ ୫୯ ରନରେ ବିଜୟ ସହ ଚାମ୍ପିୟନ୍ ହୋଇଛି ବାଂଲାଦେଶ । ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୪୯.୧ ଓଭରରେ ୧୯୮ ରନରେ ଅଲଆଉଟ୍ ହୋଇଯାଇଥିଲା । ୧୯୯ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତୀୟ ଜୁନିୟର ଟିମ୍ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବା ସହ ମାତ୍ର ୧୩୯ ରନରେ ସୀମିତ ରହିଯାଇଥିଲା ।
୧୯୯ ରନର ଟାର୍ଗେଟ୍ ପିଛା କରିବାକୁ ଯାଇ ଭାରତ ମାତ୍ର ୩୫.୨ ଓଭରରେ ୧୩୯ ରନରେ ଅଲଆଉଟ୍ ହୋଇଯାଇଥିଲେ । ବାଂଲାଦେଶ ପକ୍ଷରୁ ମହମ୍ମଦ ଶିହାବ ଜେମ୍ସ ୪୦, ରିଜାନ ହୋସାନ ୪୭, ଫରିଦ ଫୟସାଲ ୩୯ ରନ୍ ସଂଗ୍ରହ କରିଥିଲେ । ଭାରତ ପକ୍ଷରୁ ଆନ୍ଦ୍ରେ ସିଦ୍ଧାର୍ଥ ୨୦, କାର୍ତ୍ତିକେୟ କେପି ୨୧, ମହମ୍ମଦ ଅମାନ ୨୬ ରନ୍ ସଂଗ୍ରହ କରିଥିଲେ । ସେହିପରି ଭାରତ ପକ୍ଷରୁ ଯୁଧଜୀତ ଗୁହା, ଚେତନ ଶର୍ମା ଓ ହାର୍ଦିକ ରାଜ ପ୍ରତ୍ୟେକେ ୨ଟି ଲେଖାଏଁ ୱିକେଟ ନେଇଥିଲେ । ବାଂଲାଦେଶ ପକ୍ଷରୁ ଅଜିଜୁଲ ହାକିମ ତମିମ ଓ ଇକବଲ ହସନ ଏମନ ୩ଟି ଲେଖାଏଁ ୱିକେଟ ନେଇଥିବା ବେଳେ ଅଲ ଫହଦ ୨ଟି ୱିକେଟ ନେଇଥିଲେ ।