ନୂଆଦିଲ୍ଲୀ: ଅନେକ ସମୟରେ ଟ୍ରେନରେ ଯାତ୍ରା କରିବା ସମୟରେ ଟ୍ରେନ ବିଳମ୍ବ ହୋଇଥାଏ । ଅନେକ ଯାତ୍ରୀ ବହୁତ ଦୂରକୁ ମଧ୍ୟ ଟ୍ରେନ୍ ରେ ଯାତ୍ରା କରନ୍ତି । କିନ୍ତୁ ଭାରତୀୟ ରେଳଯାତ୍ରାରେ ଏକ ଅସୁବିଧା ଥାଏ । ମରାମତି ବା ଅନ୍ୟ କୌଣସି କାରଣ ଯୋଗୁଁ ଅନେକ ଥର ଏହି ଟ୍ରେନ୍ ଗୁଡିକ ଘଣ୍ଟା ଘଣ୍ଟା ବିଳମ୍ବରେ ଚାଲେ, ଯେଉଁଥିପାଇଁ ଯାତ୍ରୀମାନଙ୍କୁ ବିଭିନ୍ନ ସମସ୍ୟାର ସାମ୍ନା କରିବାକୁ ପଡେ । ସେମାନେ ଠିକ୍ ସମୟରେ ଠିକଣାସ୍ଥଳରେ ପହଞ୍ଚିପାରନ୍ତି ନାହିଁ, ଖାଦ୍ୟ ପାନୀୟରେ ମଧ୍ୟ ଅସୁବିଧା ହୁଅନ୍ତି । ବିନା ଖାଦ୍ୟ ପାନୀୟରେ ଘଣ୍ଟା ଘଣ୍ଟା ଧରି ଷ୍ଟେସନରେ ବସିଥାନ୍ତି । ତେବେ ଏସବୁ ସମସ୍ୟାରୁ ଯାତ୍ରୀମାନଙ୍କୁ ଆଶ୍ୱସ୍ତି ମିଳିଲା ଭଳି ଖବର ଆସିଛି । ଏଣିକି ଟ୍ରେନ୍ ବିଳମ୍ବ ହେଲେ ରେଳବାଇ କିଛି ଯାତ୍ରୀଙ୍କୁ ମାଗଣା ଖାଦ୍ୟ ସୁବିଧା ଦେବେ ।
ଯଦି ଆପଣଙ୍କର ରାଜଧାନୀ, ଶତାବ୍ଦି କିମ୍ବା ଦୁରନ୍ତ ଏକ୍ସପ୍ରେସ୍ ରେ ଟିକେଟ୍ କରିଛନ୍ତି ଏବଂ ଟ୍ରେନ୍ ଆପଣଙ୍କ ଷ୍ଟେସନରେ ପହଞ୍ଚିବାରେ ୨ ଘଣ୍ଟା କିମ୍ବା ଅଧିକ ସମୟ ବିଳମ୍ବ କରେ, ତେବେ ରେଳବାଇ ଆପଣଙ୍କୁ ମାଗଣା ଖାଦ୍ୟ ଯୋଗାଇବ । ମଧ୍ୟାହ୍ନ ଭୋଜନ କିମ୍ବା ରାତ୍ରୀ ଭୋଜନ ସମୟ ଅନୁଯାୟୀ ଖାଦ୍ୟ ପ୍ରସ୍ତୁତ ହେବ । କେବଳ ଏତିକି ନୁହେଁ, ଆପଣଙ୍କୁ ଚା, କଫି ଏବଂ ବିସ୍କୁଟ ମଧ୍ୟ ଦିଆଯିବ । ତେଣୁ ବର୍ତ୍ତମାନ ଯଦି ଆପଣ ଯାତ୍ରା କରୁଛନ୍ତି ଏବଂ ଟ୍ରେନ୍ ବିଳମ୍ବ ହୁଏ, ତେବେ ଆପଣ ରେଳବାଇର ଏହି ସୁବିଧାର ସମ୍ପୂର୍ଣ୍ଣ ଲାଭ ଉଠାଇବା ଉଚିତ୍ । ବିଶେଷ କରି ଶୀତଦିନେ ଏହାର ଲାଭ ଉଠାଇ ପାରିବେ । କାରଣ ସେତେବେଳେ କୁହୁଡି ଯୋଗୁଁ ଟ୍ରେନ୍ ଗୁଡିକ ବହୁତ ବିଳମ୍ବରେ ଚାଲିଥାଏ ।
Waiting Room: ଟ୍ରେନ୍ ବିଳମ୍ବ ହେଲେ ଭାରତୀୟ ରେଳବାଇ ଯାତ୍ରୀମାନଙ୍କ ପାଇଁ ମାଗଣାରେ କକ୍ଷ ସୁବିଧା ମଧ୍ୟ ଯୋଗାଇ ଦେବ । ପ୍ରତ୍ୟେକ ପ୍ରମୁଖ ଷ୍ଟେସନରେ ଆପଣ ଏହି ସୁବିଧା ପାଇବେ । ଆପଣଙ୍କ ଟିକେଟ୍ ଶ୍ରେଣୀ ଉପରେ ନିର୍ଭର କରି ଅପେକ୍ଷା କକ୍ଷ ଏସି କିମ୍ବା ନନ୍-ଏସି ହେବ । ଏଥିପାଇଁ ଅଲଗା କକ୍ଷ ପ୍ରସ୍ତୁତ କରାଯାଇଛି ଏବଂ ଯାତ୍ରୀମାନଙ୍କୁ ଏଥିରେ ପ୍ରବେଶ କରିବା ପୂର୍ବରୁ ଟିକେଟ୍ ଦେଖାଇବାକୁ ପଡିବ ।
କେବଳ ସେତିକି ନୁହେଁ, ଯଦି ଟ୍ରେନ୍ ୩ ଘଣ୍ଟା କିମ୍ବା ତା’ଠାରୁ ଅଧିକ ବିଳମ୍ବ ହୁଏ, ତେବେ ଆପଣ ଟିକେଟ୍ ବାତିଲ୍ କରିପାରିବେ ଏବଂ ସମ୍ପୂର୍ଣ୍ଣ ଭଡା ଫେରସ୍ତ କରିପାରିବେ । ପୂର୍ବରୁ ଏହି ସୁବିଧା କେବଳ ସେହି ଯାତ୍ରୀମାନଙ୍କ ପାଇଁ ଉପଲବ୍ଧ ଥିଲା ଯେଉଁମାନେ ରେଳ କାଉଣ୍ଟରରୁ ଟିକେଟ୍ ବୁକ୍ କରୁଥିଲେ । ବର୍ତ୍ତମାନ ଅନଲାଇନ୍ ୱେବସାଇଟ୍ ମାଧ୍ୟମରେ ଟିକେଟ୍ ବୁକ୍ କରୁଥିବା ଲୋକଙ୍କୁ ଏହି ସୁବିଧା ମିଳିବ । ଯଦି ଅନ୍ୟ କୌଣସି କାରଣରୁ ଟ୍ରେନ୍ ମିସ୍ ହୁଏ, ତଥାପି ଯାତ୍ରୀମାନେ ସମ୍ପର୍ଣ୍ଣ ଟଙ୍କା ଫେରସ୍ତ ପାଇ ପାରିବ । ଏଥିପାଇଁ ଆପଣଙ୍କୁ ଟିଡିଆର ଫର୍ମ ପୂରଣ କରିବାକୁ ପଡିବ ଏବଂ ଟ୍ରେନ ଷ୍ଟେସନ ଛାଡିବାର ୧ ଘଣ୍ଟା ମଧ୍ୟରେ ଏହାକୁ ଟିକେଟ୍ କାଉଣ୍ଟରରେ ଦାଖଲ କରିବାକୁ ପଡିବ।