ପ୍ଲେନ୍ କ୍ରାଶରେ ସିରିଆ ରାଷ୍ଟ୍ରପତିଙ୍କ ମୃତ୍ୟୁ? ଯେଉଁ ବିମାନରେ ବଶର ଅଲ ଅସଦ ଦେଶ ଛାଡ଼ିଥିଲେ, ତାହା ରାଡାରରୁ ଗାଏବ୍

ନୂଆଦିଲ୍ଲୀ: ସିରିଆରେ ଦେଖାଦେଇଥିବା ଭୟଙ୍କର ସ୍ଥିତି ଏବେ ବିଶ୍ୱର ପ୍ରମୁଖ ପ୍ରସଙ୍ଗ ପାଲଟିଛି । ରାଷ୍ଟ୍ରପତି ବଶର ଅଲ-ଅସଦ ଦେଶ ଛାଡ଼ି ଏକ ଅଜ୍ଞାତ ସ୍ଥାନକୁ ପଳାୟନ କରିବା ପରେ ଏବେ ଦେଶରେ ଭୟଙ୍କର ସ୍ଥିତି ଦେଖିବାକୁ ମିଳିଛି । ଲୋକମାନେ ରାଷ୍ଟ୍ରପତି ଭବନରେ ପ୍ରବେଶ କରିବା ସହ ରାଷ୍ଟ୍ରପତିଙ୍କ ଅନେକ ବ୍ୟକ୍ତିଗତ ଜିନିଷକୁ ଭଙ୍ଗାରୁଜା କରିବା ସହ ଲୁଟ୍ କରିଥିବା ରିପୋର୍ଟରେ କୁହାଯାଇଛି । ଏପରିକି ଏହି ଲୁଟପାଟ୍ ସମୟର କିଛି ଭିଡିଓ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ତେବେ ମଧ୍ୟରେ ସିରିଆକୁ ନେଇ ଆସିଛି ପୁଣି ଏକ ବଡ଼ ଅପଡେଟ୍ । ବଶର ଅଲ ଅସଦ ଯେଉଁ ବିମାନରେ ଦେଶ ଛାଡ଼ିଥିଲେ ତାହା ରାଡାରରୁ ଗାଏବ୍ ହୋଇଯାଇଛି । ତେଣୁ ଏବେ ବଶର ଅଲ ଅସଦଙ୍କୁ ନେଇ ବଡ଼ ଆଶଙ୍କା ସୃଷ୍ଟି ହୋଇଛି । ସିରିଆ ରାଜଧାନୀ ଡାମସ୍କସରୁ ପଳାୟନ କରିବା ସମୟରେ ବଶର ଅଲ ଅସଦ ଯାତ୍ରା କରୁଥିବା ବିମାନଟି ଦୁର୍ଘଟଣାର ଶିକାର ହୋଇଥିବା ଆଶଙ୍କା କରାଯାଉଛି । ତେଣୁ ଉକ୍ତ ବିମାନ କ୍ରାଶରେ ବଶର ଅଲ ଅସଦଙ୍କ ମୃତ୍ୟୁ ଘଟିଥାଇପାରେ ବୋଲି ଏବେ ପ୍ରଶ୍ନ ଉଠିଛି । ବଶର ଅଲ ଅସଦ ସିରିଆରୁ ପଳାୟନ କରିବା ସମୟରେ ବିମାନ କ୍ରାଶ ହୋଇଥିବା ଏକ ରିପୋର୍ଟରେ ଦାବି କରାଯାଇଛି ।

ସେହିପରି ସିରିଆର ଉକ୍ତ ବିମାନକୁ ବିଦ୍ରୋହୀମାନେ ଅପହରଣ କରିନେଇଥିଲେ ଓ ସେହି ବିମାନରେ ବଶର ଅଲ ଅସଦ ଥିଲେ ବୋଲି ଅନ୍ୟ ଏକ ରିପୋର୍ଟରେ କୁହାଯାଇଛି । ବିମାନଟି ସିରିଆର ତଟ ଅଭିମୂଖେ ଯାତ୍ରା କରୁଥିଲା । ଅଚାନକ ଏକ ମୋଡ଼ ଆସିବାରୁ ବିମାନଟି ରାଡାରରେ ଦେଖିବାକୁ ମିଳିନଥିଲା । ବିମାନ ଗାଏବ୍ ହେବା ପରେ ଏପରି ଅନେକ ଆଶଙ୍କା କରାଯାଉଛି । ସୂଚନାଯୋଗ୍ୟ ଯେ, ସିରିଆ ରାଷ୍ଟ୍ରପତି ପଦରୁ ବଶର ଅଲ-ଅସଦ ଇସ୍ତଫା ଦେଇଥିବା ନେଇ ଏହା ପୂର୍ବରୁ ଋଷିଆ ସ୍ପଷ୍ଟ କରିଥିବା ବେଳେ ‘ସେ ଦେଶ ଛାଡ଼ିଛନ୍ତି’ ବୋଲି ସିରିଆ ରାଷ୍ଟ୍ରପତି ବଶର ଅଲ-ଅସଦ କହିଥିବା ରିପୋର୍ଟରେ କୁହାଯାଇଥିଲା । ଏଥିସହିତ ବଶର ଅଲ-ଅସଦ ବିଦ୍ରୋହୀମାନଙ୍କୁ କ୍ଷମତା ହସ୍ତାନ୍ତର କରିବାକୁ ରାଜି ହୋଇଥିଲେ ବୋଲି ମଧ୍ୟ ଋଷିଆ ପକ୍ଷରୁ କୁହାଯାଇଥିଲା ।