‘ରାକ୍ଷୀ’ର ମାନ ରଖିବାକୁ ଭଉଣୀର ଅଗ୍ନିପରୀକ୍ଷା! ଅର୍ଥାଭାବ କାରଣରୁ ଛୋଟ ଭାଇର ଶବକୁ ଟ୍ୟାକ୍ସିର ଛାତ ଉପରେ ବାନ୍ଧି ୧୯୫ କିମି ପର୍ଯ୍ୟନ୍ତ ନେବାକୁ ବାଧ୍ୟ ହେଲା ଭଉଣୀ

ନୂଆଦିଲ୍ଲୀ: ଭାଇ-ଭଉଣୀଙ୍କର ରାକ୍ଷୀର ଅତୁଟ ବନ୍ଧନ ଯୁଗ ଯୁଗ ଧର ରହି ଆସିଛି । ପବିତ୍ର ‘ରକ୍ଷା ବନ୍ଧନ’ରେ ଭଉଣୀ ତା’ର ଭାଇ ହାତରେ ରାକ୍ଷୀ ବାନ୍ଧି ଥାଏ । ଏହାର ବଦଳରେ ଭାଇ ସାରା ଜୀବନ ପାଇଁ ଭଉଣୀର ସୁରକ୍ଷା କରିବାକୁ ପ୍ରତିଶ୍ରୁତି ଦେଇଥାଏ । ଏହି ପ୍ରତିଶ୍ରୁତି ଗୋଟିଏ ଭଉଣୀ ପାଇଁ କୋଟିଏ ଟଙ୍କାର ପାଉଣା ଠାରୁ କମ୍ ନୁହେଁ । ତେବେ ଏହା ମଧ୍ୟରେ ଭାଇ-ଭଉଣୀର ଅତୁଟ ସମ୍ପର୍କର ଏକ ନିଆରା କାହାଣୀ ସାମ୍ନାକୁ ଆସିଛି । ରାକ୍ଷୀର ମାନ ରଖିବାକୁ ଆଜି ଗୋଟିଏ ଭଉଣୀ ଆଜି ତା’ର ଭାଇ ପାଇଁ ଯେଉଁ ସଂଘର୍ଷ କରିଛି ତାହା ସଭିଙ୍କ ଆଖିରେ ଲୁହ ଭରିଦେଇଛି ।

ସୂଚନା ମୁତାବକ, ଉତ୍ତରାଖଣ୍ଡରେ ଦେଖିବାକୁ ମିଳିଛି ଏଭଳି ଏକ ହୃଦୟ ଜର୍ଜରିତ କାହାଣୀ । ଘରୋଇ ଆମ୍ବୁଲାନ୍ସ ଖର୍ଚ୍ଚ ବହନ କରିବାକୁ ଭଉଣୀ ପାଖରେ ଟଙ୍କାର ଅଭାବ ରହିଥିଲା । ତେଣୁ ବାଧ୍ୟହୋଇ ଭଉଣୀ ଗୋଟିଏ ଟ୍ୟାକ୍ସିର ଛାତ ଉପରେ ବାନ୍ଧି ୧୯୫ କିମି ପର୍ଯ୍ୟନ୍ତ ନେଇଥିଲା । ତେବେ ଏହି ଘଟଣା ଚାରିଆଡ଼େ ପ୍ରଘଟ ହେବା ପରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ମାମଲାର ଯାଞ୍ଚ ଆଦେଶ ଦେବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟର ବେରୀନାଗ ସ୍ଥିତ ଏକ ଗାଁରେ ଭଉଣୀ ଶିବାନୀ (୨୨) ଓ ଛୋଟ ଭାଇ ଅଭିଷେକ (୨୦) ରହୁଥିଲେ । ଅଭିଷେକ ଘରକୁ ଫେରିବା ପରେ ତାଙ୍କର ମୁଣ୍ଡବ୍ୟଥା ହୋଇଥିଲା । ପରବର୍ତ୍ତୀ ସମୟରେ ଅଭିଷେକଙ୍କୁ ରେଲୱେ ଟ୍ରାକ ନିକଟରୁ ବେହୋସ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ପରବର୍ତ୍ତୀ ସମୟରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ । ପୋଲିସ ଶବ ବ୍ୟବଚ୍ଛେଦ କରିବା ପରେ ଶବକୁ ଶିବାନୀଙ୍କୁ ହସ୍ତାନ୍ତର କରିଥିଲେ । ତେବେ ଭାଇର ଶବକୁ ଘରକୁ ନେବା ପାଇଁ ଶିବାନୀ ଶବଗୃହ ବାହାରେ ଥିବା ଆମ୍ବୁଲାନ୍ସ ଚାଳକଙ୍କ ସହ କଥା ହୋଇଥିଲେ । ତେବେ ସେମାନେ ୧୦-୧୨ ହଜାର ଟଙ୍କା ଭଡ଼ା ନେବେ ବୋଲି କହିଥିଲେ । ତେବେ ଭଡ଼ା ଖର୍ଚ୍ଚ ଦେବାକୁ ଅସମର୍ଥ ଭଉଣୀ ନିଜ ଗାଁରୁ ଏକ ଟ୍ୟାକ୍ସି ଚାଳକଙ୍କୁ ଡକାଇଥିଲେ ଓ ଭାଇର ଶବକୁ ଗାଡ଼ିର ଛାତ ଉପରେ ବାନ୍ଧି ୧୯୫ କିମି ପର୍ଯ୍ୟନ୍ତ ନେବାକୁ ବାଧ୍ୟ ହୋଇଥିଲା । ଭାଇର ମୃତ୍ୟୁ ପରେ ନିଜ ଆଖିରୁ ଲୁହ ପୋଛିବାକୁ ସମୟ ପାଇ ନଥିଲା ଭଉଣୀ । ତା’ ବଦରେ ଭଉଣୀ ଯେଉଁ ସଂଘର୍ଷ କରିଥିଲା, ତାହା କୌଣସି ଅଗ୍ନିପରୀକ୍ଷା ଠାରୁ କମ୍ ନଥିଲା ।