10 ବର୍ଷରେ କେତେ ହାତୀ ମରିଛନ୍ତି? ଏହି ଉତ୍ତର ଦେଲେ ଜଙ୍ଗଲ ପରିବେଶ ମନ୍ତ୍ରୀ

ଭୁବନେଶ୍ବର: ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି ହାତୀ ମୃତ୍ୟୁ । କେତେବେଳେ ହାତୀର ଜୀବନ ଯାଉଛି ତ ଆଉ କେତେବେଳେ ପ୍ରାଣ ହରାଉଛି ମଣିଷ । ତେବେ ବିଭିନ୍ନ କାରଣରୁ ରାଜ୍ୟରେ ହାତୀ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । 10 ବର୍ଷରେ ଗଲାଣି 857 ହାତୀଙ୍କ ଜୀବନ । ସେମାନଙ୍କ ମଧ୍ୟରୁ 149 ହାତୀ ବିଦ୍ୟୁତ ଆଘାତରେ ପ୍ରାଣ ହରାଇଥିବା ବେଳେ 305 ଜଣ ହାତୀ ରୋଗାଗ୍ରସ୍ତ ହୋଇ ପ୍ରାଣ ହରାଇଛନ୍ତି । ସେହିପରି ପ୍ରାକୃତିକ କାରଣରୁ 229 ହାତୀଙ୍କ ପ୍ରାଣ ଯାଇଛି । ପ୍ରାକୃତିକ କାରଣ ମଧ୍ୟରେ ଅର୍ଥାତ ଦୁର୍ଘଟଣା ଏବଂ ଶିକାର ଅନ୍ତର୍ଭୁକ୍ତ । ରେଳ ଦୁର୍ଘଟଣାରେ 29 ହାତୀ, ଶିକାର କରିବା ଯୋଗୁଁ 30 ଏବଂ ପ୍ରତିହିଂସା ପରାୟଣରେ 16 ହାତୀର ମୃତ୍ୟୁ ହୋଇଛି । ଏନେଇ ବିଧାନସଯଭାରେ ଲିଖିତ ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଷ ରାମ ସିଂ ଖୁଣ୍ଟିଆ ।

ତଥ୍ୟ ଅନୁସାରେ, 2015 ମସିହାରେ ରାଜ୍ୟରେ 1954 ହାତୀ ରହିଥିଲେ । ଏହାପରେ 2017 ମସିହାରେ ହାତୀଙ୍କ ସଂଖ୍ୟା ବୃଦ୍ଧି ପାଇ 1976ରେ ପହଞ୍ଚିଥିଲା । ତେବେ 2024 ମସିହା ନଭେମ୍ବର ସୁଦ୍ଧା 2103 ହାତୀ ରହିଥିବା ଜଣାପଡିଛି । ଯଦି ହାତୀ ଆକ୍ରମଣରେ ମଣିଷର ଜୀବନ ଯାଇଥିବା କଥା ଦେଖିବା ତାହେଲେ ବିଗତ 3 ବର୍ଷରେ ୬୬୮ ଲୋକଙ୍କ ପ୍ରାଣ ନେଇଛି । ସେହିପରି ହାତୀ ଆକ୍ରମଣରେ ୫୦୯ ବ୍ୟକ୍ତି ଗୁରୁତର ହୋଇଥିଲେ ବୋଲି ମନ୍ତ୍ରୀ କହିଥିଲେ ।