ଭୁବନେଶ୍ବର: ଆସନ୍ତା ମାସ ଅର୍ଥାତ୍ ଜାନୁଆରୀରେ ଆରମ୍ଭ ହେବ ପକ୍ଷୀ ଗଣନା । ଆଜି ବିଧାନସଭାରେ ଏନେଇ ସୂଚନା ଦେଇଛନ୍ତି ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଚିଆ । ନଭେମ୍ବର ସୁଦ୍ଧା ଓଡିଶାକୁ ପ୍ରାୟ 4 ଲକ୍ଷ 94 ହଜାର 366 ଜଣ ବିଦେଶାଗତ ପକ୍ଷୀ ଆସିଛନ୍ତି । କେବଳ ନଳବଣକୁ 2 ଲକ୍ଷ 17 ହଜାର 170 ଗୋଟି ବିଦେଶାଗତ ପକ୍ଷୀ ଆସିଛନ୍ତି ।
ବିଦେଶାଗତ ପକ୍ଷୀମାନଙ୍କ ପାଇଁ ପ୍ରତିବର୍ଷ ଅକ୍ଟୋବରରୁ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ସୁରକ୍ଷା ଶିବିର କରାଯାଇ ସେମାନେ ଦିନରାତି ପହରା ଦେଇଥାନ୍ତି । ପକ୍ଷୀମାନଙ୍କୁ ସୁରକ୍ଷା ଦିଆଯାଉଥିବା ନେଇ କହିଛନ୍ତି ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ଜଣେ ବନରକ୍ଷୀଙ୍କ ଦ୍ବାରା ଦିନରାତି ପହରା ଦିଆଯାଇଥାଏ । ଚିଲିକା ହ୍ରଦକୁ ଶୀତ ଋତୁରେ ସାଧାରଣତଃ ବିଦେଶାଗତ ପକ୍ଷୀମାନେ ଚିଲିକାର ଚତୁଃପାର୍ଶ୍ଵରେ ଥିବା ଜଳାଶୟ ଯଥା ମଙ୍ଗଳାଯୋଡି, ଭୁଷଣ୍ଡପୁରୁ, ବାଲିପାଟପୁର, ନଇରି, ବଉଳାବନ୍ଧ, ବଡଗୋଠ, ଟୁଆଗମ୍ଭାରୀ, ଗୁରୁବାଇ, ସିପିଆ, ନଳବଣ, ମଧୁରଚୁଆ, ସମଲନାସୀ, ପାଣ୍ଡାନାସୀ, ପଞ୍ଚକୁଦୀ, ସୁନନ୍ଦା ଓ କାଲୁରୀ ଅଞ୍ଚଳରେ ଥିବା ଜଳାଶୟମାନଙ୍କରେ ଦେଖାଯାଇଥାନ୍ତି । ତେବେ ଆସନ୍ତା ଜାନୁଆରୀରୁ ପକ୍ଷୀ ଗଣନା ଆରମ୍ଭ ହେବ ।