ବଲିଉଡ୍ ଅଭିନେତା ମୁସ୍ତାକ ଖାନଙ୍କୁ ଅପହରଣ କଲେ ଦୁର୍ବୃତ୍ତ: ଇଭେଣ୍ଟ ବାହାନାରେ ଡାକି ୩ ଲକ୍ଷ ଲୁଟିନେଲେ

ନୂଆଦିଲ୍ଲୀ: ଆସିଛି ଏକ ବଡ଼ ଖବର । ବଲିଉଡ୍ ଅଭିନେତା ମୁସ୍ତାକ ଖାନଙ୍କୁ କିଛି ଦୁର୍ବୃତ୍ତ ଅପହରଣ କରିଥିବା ଖବର ସାମ୍ନାକୁ ଆସିଛି । ଇଭେଣ୍ଟ ବାହାନାରେ ମୁସ୍ତାକଙ୍କୁ କିଛି ଖଳ ପ୍ରକୃତିର ବ୍ୟକ୍ତି ଡାକି ତାଙ୍କୁ ଠାରୁ ୩ ଲକ୍ଷ ଟଙ୍କା ଆଦାୟ କରିଥିବା ଜଣାପଡ଼ିଛି । ଏପରିକି ମୁସ୍ତାକଙ୍କୁ ଦୁର୍ବୃତ୍ତମାନେ ଏକ ବନ୍ଦ କୋଠରୀରେ ରଖିଥିଲେ ।ୁ ତେବେ କୌଶଳକ୍ରମେ ମୁସ୍ତାକ ସେମାନଙ୍କ କବଳରୁ ଖସି ଆସି ଏକ ମସଜିଦରେ ପହଞ୍ଚିଥିଲେ । ସେଠାରେ ସେ ମୌଲବୀଙ୍କୁ ସାହାଯ୍ୟ ମାଗିଥିଲେ ଓ ତା’ପରେ ସେ ମୁମ୍ବାଇରେ ପହଞ୍ଚିଥିଲେ ।

ସୂଚନା ମୁତାବକ, ନିକଟରେ କମେଡ଼ିଆନ ସୁନୀଲ ପାଲଙ୍କ ଅପହରଣ ଘଟଣା ଉପରୁ ପରଦା ହଟି ନଥିବା ବେଳେ ପୁଣି ଜଣେ କଳାକାରଙ୍କ ସହ ଏପରି ଘଟିଛି । ଏହି ଘଟଣା ପରେ ମୁସ୍ତାକ ଏକ ମାମଲା ଦାୟର କରିଛନ୍ତି । ଅଭିନେତା ମୁସ୍ତାକଙ୍କୁ ମେରଠରେ ରହୁଥିବା ରାହୁଲ ସୈନୀ ନାମକ ଜଣେ ବ୍ୟକ୍ତି ବରିଷ୍ଠ ଲୋକଙ୍କୁ ସମ୍ମାନିତ କରିବା ପାଇଁ ଏକ ଇଭେଣ୍ଟରେ ସାମିଲ ହେବାକୁ ଡାକିଥିଲେ । ଏଥିପାଇଁ ଅଭିନେତାଙ୍କୁ ୫୦ ହଜାର ଟଙ୍କା ଅଗ୍ରୀମ ଆକାରରେ ଦିଆଯାଇଥିଲା । ନଭେମ୍ବର ୨୦ରେ ଅଭିନେତା ମୁସ୍ତାକ ମୁମ୍ବାଇରୁ ଦିଲ୍ଲୀ ଫ୍ଲାଇଟରେ ପହଞ୍ଚିଥିଲେ । ତେବେ ଏୟାରପୋର୍ଟରୁ ମେରଠ ଯାଉଥିବା ସମୟରେମେରଠ ହାଇୱେରେ ଅଭିନେତାଙ୍କୁ ଅପହରଣ କରିନିଆଯାଇଥିଲା । ଅପହରଣ ପରେ ଅପହରଣକାରୀମାନେ ଅଭିନେତାଙ୍କୁ ବିଜନୌର ନେଇଯାଇଥିଲେ ଓ ତାଙ୍କଠାରୁ ବଳପୂର୍ବକ ଅର୍ଥ ଆଦାୟ କରିଥିଲେ । ମୁସ୍ତାକ ଖାନଙ୍କୁ ସେମାନେ ମାରପିଟ୍ ମଧ୍ୟ କରିଥିବା ଜଣାପଡ଼ିଛି ।