DAF ଫର୍ମ ନ ଭରିଲେ ସାକ୍ଷାତକାର ବାତିଲ୍ ହୋଇଯିବ! UPSC ମୁଖ୍ୟ ପରୀକ୍ଷା କ୍ଲିୟର କରିଥିବା ପ୍ରାର୍ଥୀଙ୍କ ପାଇଁ ଜରୁରୀ ସୂଚନା

ନୂଆଦିଲ୍ଲୀ: ଗତ ୯ ତାରିଖରେ ସଂଘୀୟ ଲୋକସେବା ଆୟୋଗ (ୟୁପିଏସସି) ଦ୍ୱାରା ପରିଚାଳିତ ସର୍ବଭାରତୀୟ ପ୍ରଶାସନିକ ସେବାର ମୁଖ୍ୟ ପରୀକ୍ଷା ରେଜଲ୍ଟ ଘୋଷଣା କରାଯାଇଥିଲା । ମୁଖ୍ୟ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀମାନେ ଏବେ ସାକ୍ଷାତକାର ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ୟୁପିଏସସି ଭଳି ଏକ ସମ୍ମାନଜନକ ସେବାରେ କୃତକାର୍ଯ୍ୟ ହେବା ଅଧିକାଂଶ ମେଧାବୀଙ୍କର ସ୍ୱପ୍ନ ରହିଥାଏ । ତେବେ ଅନେକ ପ୍ରାର୍ଥୀ ସାମାନ୍ୟ ତ୍ରୁଟି କାରଣରୁ ଏଥିରେ ଫେଲ୍ ହେଉଥିବାର ଦେଖାଯାଇଥାଏ । ତେଣୁ ଆପଣମାନେ ଯଦି ୟୁପିଏସସି ମେନ୍ସ ପରୀକ୍ଷାରେ ପାସ୍ କରିଛନ୍ତି ତେବେ ଏହାର ପରବର୍ତ୍ତର୍ୀ ଷ୍ଟେପ୍ ବିଷୟରେ ଆପଣମାନେ ଜାଣିବା ନିହାତି ଆବଶ୍ୟ ।

ସିଭିଲ ସର୍ଭିସ ପରୀକ୍ଷା (ସିଏସଇ) ପ୍ରିଲିମିନାରୀ ପରୀକ୍ଷା ୨୦୨୪ର ରେଜଲ୍ଟ ଘୋଷିତ ହେବା ପରେ ୟୁପିଏସସି ସିଏସଇ ମେନ୍ସ ୨୦୨୪ ଡିଟେଲଡ ଆପ୍ଲିକେସନ ଫର୍ମ (ଡିଏଏଫ)ର ଅନଲାଇନ୍ ଫର୍ମ ଭରାଯାଇଥାଏ । ସାଧାରଣ ଭାବେ ଡିଏଫରେ ପ୍ରାର୍ଥୀଙ୍କର ବ୍ୟକ୍ତିଗତ, ଶିକ୍ଷାଗତ ଯୋଗ୍ୟତା, ସେବା (ଯେପରିକି ଆଇଏଏସ, ଆଇପିଏସ, ଆଇଏଫଏସ) ଓ କ୍ୟାଡର ରାଜ୍ୟ ଆଦି ପ୍ରାସଙ୍ଗିକ ତଥ୍ୟ ଦେବାକୁ ପଡ଼ିଥାଏ । ଯଦି ଜଣେ ପ୍ରାର୍ଥୀ ମେନ୍ସ ପରୀକ୍ଷାରେ ପାସ୍ କରିବା ପରେ ନିର୍ଦ୍ଧାରିତ ତାରିଖ ମଧ୍ୟରେ ଏହି ଫର୍ମ ନ ଭରନ୍ତି, ତେବେ ତାଙ୍କର ଇଣ୍ଟରଭ୍ୟୁ ବାତିଲ ହୋଇପାରେ । ୟୁପିଏସସି ସିଭିଲ ସେବା ମୁଖ୍ୟ ପରୀକ୍ଷା ୨୦୨୪ର ଡିଏଏଫ-୧ ଫର୍ମ ଭରିବାର ଅନ୍ତିମ ତାରିଖ ଡିସେମ୍ବର ୧୩ ରହିଛି । ପ୍ରତ୍ୟେକ ଇଣ୍ଟରଭ୍ୟୁ ବୋର୍ଡ ସଦସ୍ୟଙ୍କ ପାଖରେ ଡିଏଏଫର ଏକ କପି ରହିଥାଏ, ଏହା ପ୍ରତ୍ୟେକ ୟୁପିଏସସି ପ୍ରାର୍ଥୀ ଜାଣିବା ଜରୁରୀ । ସେହି ଡିଏଏଫ ଫର୍ମ ଆଧାରରେ ଇଣ୍ଟରଭ୍ୟୁ ପ୍ୟାନେଲ ପ୍ରାର୍ଥୀଙ୍କୁ ପ୍ରଶ୍ନ କରିଥାନ୍ତି ।