ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଡିସେମ୍ବର ୩୧ରେ ମିଳିବ ମାଧୋ ସିଂ ହାତ ଖର୍ଚ୍ଚ, ଉପକୃତ ହେବେ ଏସସି-ଏସଟି ଛାତ୍ରଛାତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସିଛି ଏକ ବଡ଼ ଖବର । ଆସନ୍ତା ୩୧ ତାରିଖରେ ମାଧୋ ସିଂ ହାତଖର୍ଚ୍ଚ ପ୍ରଦାନ କରାଯିବ । ରାଜ୍ୟର ଅନୁସୂଚିତ ଜାତି (ଏସସି) ଓ ଅନୁସୂଚିତ ଜନଜାତି (ଏସଟି) ଛତ୍ରଛାତ୍ରୀଙ୍କୁ ଏହି ହାତ ଖର୍ଚ୍ଚ ମିଳିବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟସ୍ତରୀୟ ଭାରତୀୟ ଭାଷା ଉତ୍ସବରେ ଏହି ଘୋଷଣା କରିଛନ୍ତି । ବରଗଡ଼ ଜିଲ୍ଲା ଘେଁସରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବ । ରାଜ୍ୟ ସରକାରଙ୍କର ଏହି ଯୋଜନା ଜରିଆରେ ରାଜ୍ୟର ଲକ୍ଷାଧିକ ଏସସି, ଏସଟି ଛାତ୍ରଛାତ୍ରୀ ସୁଫଳ ପାଇବେ ।

ରାଜ୍ୟର ଏସସି, ଏସଟି ଛାତ୍ରଛାତ୍ରୀଙ୍କୁ ଶିକ୍ଷା କ୍ଷେତ୍ରରେ ଆଗକୁ ନେବା ଲକ୍ଷ୍ୟରେ ଚଳିତ ବର୍ଷ ରାଜ୍ୟ ସରକାର ‘ସହିଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା’ ଆରମ୍ଭ କରିବେ ବୋଲି ପୂର୍ବରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଥିଲେ । ଏହି ଯୋଜନାରେ ନବମ ଓ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ବାଷିର୍କ ୫ ହଜାର ଟଙ୍କାର ଆର୍ଥିକ ସହାୟତା ମିଳିବ । ଏହି ଯୋଜନାରେ ରାଜ୍ୟ ସରକାର ୧୫୬ କୋଟି ଖର୍ଚ୍ଚ କରିବେ । ଏହି ଯୋଜନା ମାଧ୍ୟମରେ ଏସସି ଓ ଏସଟି ଛାତ୍ରଛାତ୍ରୀଙ୍କ ଡ୍ରପ୍ ଆଉଟ୍ ସମସ୍ୟା ରୋକାଯାଇ ପାରିବ ବୋଲି ରାଜ୍ୟ ସରକାର ଆଶାବ୍ୟକ୍ତ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟର ବିଚ୍ଛିନ୍ନାଞ୍ଚଳର ଏସସି, ଏସଟି ଛାତ୍ରଛାତ୍ରୀମାନେ ଆର୍ଥିକ ସମସ୍ୟା କାରଣରୁ ଅଧାରୁ ପାଠପଢ଼ା ଛାଡ଼ି ଦେଉଥିବା ଦେଖାଯାଉଛି । ଏହା ଏବେ ବଡ଼ ଚିନ୍ତାର କାରଣ ସାଜିଥିବାରୁ ଏଥିପାଇଁ ରାଜ୍ୟ ସରକାର ଏହି ଯୋଜନା ଲାଗୁ କରିବେ । ଏହି ସମସ୍ୟାକୁ ଦୂର କରିବା ପାଇଁ ବିଜେପି ନିର୍ବାଚନୀ ଇସ୍ତାହାରରେ ମଧ୍ୟ ଉଲ୍ଲେଖ କରିଥିଲା । ଏବେ କ୍ଷମତାକୁ ଆସିବା ପରେ ପୂର୍ବ ପ୍ରତିଶ୍ରୁତି ପୂରଣ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରୟାସ ଆରମ୍ଭ କରିଦେଇଛନ୍ତି ।