ନୂଆଦିଲ୍ଲୀ: ଆଜିକାଲି ଅଧିକାଂଶ ଲୋକେ ଅନଲାଇନ ସପିଙ୍ଗ କରିବା ପାଇଁ ପସନ୍ଦ କରୁଛନ୍ତି । ଅନଲାଇନରେ ହଜାର ହଜାର ପ୍ରଡକ୍ଟ ଦେଖିବା ସାଙ୍ଗକୁ କମ୍ ଦାମରେ ଘରେ ବସି ପାଇ ପାରୁଛନ୍ତି ଗ୍ରାହକ । ତେବେ ଅନଲାଇନ ସପିଙ୍ଗ ଆପ୍ ମଧ୍ୟରୁ ସବୁଠାରୁ ଲୋକପ୍ରିୟ ହୋଇଛି ଫ୍ଲିପକାର୍ଟ । ଏହି ପ୍ଲାଟଫର୍ମରୁ ଅଧିକ ଲୋକ ବିଭିନ୍ନ ଆବଶ୍ୟକୀୟ ଜିନିଷ କିଣିଥାନ୍ତି । ଏହାବ୍ୟତୀତ ଜିନିଷ ଫେରସ୍ତ କରିବା ଏବଂ ବଦଳାଇବା ମଧ୍ୟ ଖୁବ ସହଜ ହୋଇଥାଏ । ତେଣୁ ଫ୍ଲିପକାର୍ଟ ସମସ୍ତଙ୍କ ପ୍ରିୟ ପାଲଟିଛି । କିନ୍ତୁ ଏବେ ଏହି ନିୟମରେ ପରିବର୍ତ୍ତନ ଆଣୁଛି ଫ୍ଲିପକାର୍ଟ । ଏଣିକି ଜିନିଷ ଫେରସ୍ତ କଲେ ଦେବାକୁ ପଡ଼ିବ ଚାର୍ଜ ।
ରିପୋର୍ଟ ଅନୁସାରେ, ଏଣିକି ଫ୍ଲିପକାର୍ଟରେ ଅର୍ଡର କ୍ୟାନ୍ସେଲ କରିବା ନିୟମରେ ହୋଇପାରେ ବଡ଼ ପରିବର୍ତ୍ତନ । କିଛିଟା ଜିନିଷରେ କ୍ୟାନ୍ସେଲେସନ ଚାର୍ଜ ବା ଫିସ୍ କରିପାରେ ଫ୍ଲିପକାର୍ଟ । ଏହାର ଏକ ସ୍କ୍ରିନସଟ୍ ସୋସିଆଲ ମିଡିଆରେ ବ୍ୟାପିବାରେ ଲାଗିଛି । ନିର୍ଦ୍ଧାରିତ ସମୟ ପରେ ଅର୍ଡର କ୍ୟାନ୍ସେଲ କରିବା ଏବେ ଗ୍ରାହକଙ୍କ ପାଇଁ ମହଙ୍ଗା ହୋଇପାରେ । ଏହି ସମୟ ପରେ କୌଣସି ଅର୍ଡର କ୍ୟାନ୍ସଲ କଲେ, ଗ୍ରାହକଙ୍କ ଏଥିପାଇଁ ଚାର୍ଜ ଦେବାକୁ ପଡ଼ିପାରେ । ତେବେ କିଛିଟା ପ୍ରଡକ୍ଟରେ ଏହି ଚାର୍ଜ ଲାଗୁ ହୋଇପାରେ । ତେବେ ଏହିସବୁ ଜିନିଷର ଅର୍ଡର କ୍ୟାନ୍ସଲ କରିବା ପାଇଁ ୟୁଜରଙ୍କୁ ୨୦ ଟଙ୍କା କ୍ୟାନ୍ସେଲେସନ୍ ଚାର୍ଜ ଦେବାକୁ ପଡ଼ିବ ବୋଲି ସୂଚନା ମିଳିଛି ।
Flipkart Now has a Specific Time before which You Can Cancel an Order for Free.
If you cancel after that, You will be Charged Rs.20 Cancellation Fee 🤡 pic.twitter.com/J6ciVXqLp3
— TechGlare Deals (@Tech_glareOffl) December 9, 2024
ତେବେ ବର୍ତ୍ତମାନ ସୁଦ୍ଧା କମ୍ପାନୀ ଏ ନେଇ କୌଣସି ଅଧିକାରୀକ ଘୋଷଣା କରିନାହିଁ । କିନ୍ତୁ ଖୁବଶୀଘ୍ର ଏହି ନୂଆ ନିୟମ ଲାଗୁ କରିବା ସହ ଗ୍ରାହକଙ୍କୁ ସୂଚନା ଦେଇପାରେ ଫ୍ଲିପକାର୍ଟ । ତେବେ ଦ୍ରୁତଗତିରେ ବୃଦ୍ଧି ପାଉଥିବା ଠକାମୀରୁ ବଞ୍ଚିବା ସହ ସେଲର୍ସ ମାନଙ୍କ କ୍ଷତିକୁ କମ୍ କରିବା ପାଇଁ ଫ୍ଲିପକାର୍ଟ ଏହି ନିୟମ ଲାଗୁ କରିପାରେ । ଆଗାମୀ କିଛି ଦିନ ମଧ୍ୟରେ କମ୍ପାନୀ ଏହି ସୂଚନା ଦେଇପାରେ ବୋଲି କୁହାଯାଉଛି । ତେବେ ପୂର୍ବରୁ ମିଣ୍ଟ୍ରା ମଧ୍ୟ ଏଭଳି ଏକ ନିୟମ ଲାଗୁ କରିବା ନେଇ ଚର୍ଚ୍ଚା ହେଉଥିଲା । କିନ୍ତୁ କମ୍ପାନୀ ଏହାକୁ ଲାଗୁ କରିବାକୁ ମନା କରିଛି ।