ନୂଆଦିଲ୍ଲୀ: ୫୨ ଘଣ୍ଟାରୁ ଶିଶୁପୁତ୍ର ଆର୍ୟନ ୧୫୦ ଫୁଟର ଏକ ବୋରୱେଲ ଭିତରେ ଫସିରହିଛି । ନାନା ପ୍ରୟାସ ପରେ ବର୍ତ୍ତମାନ ସୁଦ୍ଧା ବାହାରକୁ ଆସି ପାରିନାହିଁ ଆର୍ୟନ୍ । ପିଲାଟିକୁ ଉଦ୍ଧାର କରିବା ପାଇଁ ଲଗାତାର ରେସ୍କ୍ୟୁ ଅପରେସନ ଜାରି ରହିଛି । ପ୍ରଥମେ ପାଇଲିଙ୍ଗ ମେସିନ ସାହାଯ୍ୟରେ ଶିଶୁପୁତ୍ରକୁ ଉଦ୍ଧାର କରିବାର ପ୍ରୟାସ କରାଯାଉଥିଲା । କିନ୍ତୁ ଏହି ମେସିନ୍ ଖରାପ ହେବା ପରେ ବର୍ତ୍ତମାନ ଦ୍ୱିତୀୟ ମେସିନ ସାହାଯ୍ୟରେ ବୋରୱେଲ ନିକଟରେ ଆଉ ଏକ ଗାତ ଖୋଳାଯାଉଛି । ଟେକନିକାଲ ସମସ୍ୟା ପାଇଁ ଉଦ୍ଦାର କାର୍ଯ୍ୟ ଆଜି ପ୍ରାୟ ୫ ଘଣ୍ଟା ପର୍ଯ୍ୟନ୍ତ ଅଟକି ରହିଥିଲା । ଏହାପରେ ଦ୍ୱିତୀୟ ମେସିନ ସାହାଯ୍ୟରେ ଆର୍ୟନକୁ ଉଦ୍ଧାର କରିବାର ପ୍ରୟାସ ଜାରି ରହିଛି ।
ରାଜସ୍ଥାନର ଦୌସା ଜିଲ୍ଲାର ଘର ପାଖ ଏକ ବୋରୱେଲରେ ଶିଶୁପୁତ୍ର ଆର୍ୟନ ଫସି ରହିଥିବା ସୂଚନା ମିଳିଛି । ପ୍ରାୟ ୫୨ ଘଣ୍ଟାରୁ ୧୫୦ ଫୁଟ ତଳେ ଫସି ରହିଥିବା ଆର୍ୟନ ବାହାରକୁ ବାହାରିବା ପାଇଁ ଅପେକ୍ଷା କରି ରହିଛି । ଏପଟେ ଉଦ୍ଧାର କରିବା ପାଇଁ ଲଗାତାର ପ୍ରୟାସ ଜାରି ରହିଛି । ପ୍ରଥମ ମସିନ ଖରାପ ହୋଇଯିବା ପରେ ଦ୍ୱିତୀୟ ମେସିନରେ ବୋରୱେଲ ପାଖରେ ୧୫୦ ଫୁଟର ଏକ ଗାତ ଖୋଳାଯାଉଛି । ଏହାପରେ କେସିଙ୍ଗ କାମ କରାଯିବ ଏବଂ ପରେ ଏକ ଛୋଟ ଟନେଲ ତିଆରି କରି ବୋରୱେଲରେ ପହଞ୍ଚିବ ଉଦ୍ଧାର କାରୀ ଦଳ । ପିଲାଟିକୁ ସୁରକ୍ଷିତ ଭାବରେ ଉଦ୍ଧାର କରିବା ପାଇଁ ଯଥାସମ୍ଭବ ପ୍ରୟାସ ଜାରି ରହିଥିବା କହିଛନ୍ତି ଜିଲ୍ଲା କଲେକ୍ଟର ଦେବେନ୍ଦ୍ର କୁମାର ।
ସେପଟେ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ବିଜେପି ବିଧାୟକ ରାମବିଳାସ ମୀଣା । ତାଙ୍କ ସହିତ ଭାଗଚନ୍ଦ ଟାଙ୍କଡ଼ା ଏବଂ ବିକ୍ରମ ବଂଶୀୱାଲ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି । ମେସିନ ଖରାପ ହେବା ପରେ ଉଦ୍ଧାର କାର୍ୟ୍ୟ ୫ ଘଣ୍ଟା ପର୍ୟ୍ୟନ୍ତ ବନ୍ଦ ରହିବା ପରେ ଏବେ ପୁଣିଥରେ ଉଦ୍ଧାର କାର୍ୟ୍ୟରେ ଲାଗି ପଡ଼ିଛନ୍ତି ରେସ୍କ୍ୟୁ ଟିମ୍ । ଆସନ୍ତା ୨ ଘଣ୍ଟା ମଧ୍ୟରେ ୧୫୦ ଫୁଟର ଏକ ଗାତ ଖୋଳା ହୋଇପାରିବ ବୋଲି କୁହାଯାଇଛି । ସେପଟେ ଉଦ୍ଧାର ପରେ ଶିଶୁପୁତ୍ରକୁ ସୁରକ୍ଷିତ ଦେକିବା ପାଇଁ ଅପେକ୍ଷା କରି ରହିଛନ୍ତି ଆର୍ୟନର ପରିବାର ଲୋକେ ।