Meta ସର୍ଭର ଡାଉନ୍: ଫେସବୁକ୍, ହ୍ୱାଟସଆପ୍, ଇନଷ୍ଟାଗ୍ରାମ୍ ସହ ChatGPT ସେବା ଠପ୍

ନୂଆଦିଲ୍ଲୀ: ସାରା ଦୁନିଆରେ ମେଟାର ସର୍ଭର ଡାଉନ୍ ହେବା ଫଳରେ ୟୁଜର୍ସଙ୍କ ସେବା ପ୍ରଭାବିତ ହୋଇଛି । ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଫେସବୁକ୍, ହ୍ୱାଟସଆପ୍, ଇନଷ୍ଟାଗ୍ରାମ ଓ ଥ୍ରେଡ୍ ୟୁଜର୍ସ ଆଉଟେଜ୍ ଦ୍ୱାରା ପ୍ରଭାବିତ ହୋଇଥିଲେ । ଏହି କାରଣରୁ ହ୍ୱାଟସଆପ୍ ୟୁଜର୍ସ ମେସେଜ୍ ପଠାଇବା ଓ ଗ୍ରହଣ କରିବାରେ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଅନୁରୂପ ଭାବେ ଇନଷ୍ଟାଗ୍ରାମ ଓ ଫେସବୁକରେ ଫିଡ୍ ଅପଲୋଡ୍ କରିପାରିନଥିଲେ ୟୁଜର୍ସ । ଭାରତରେ ବୁଧବାର ରାତି ପାଖାପାଖି ୧୧ଟା ସମୟରେ ମେଟା ପ୍ଲାଟଫର୍ମରେ ଆଉଟେଜ୍ ନେଇ ଅଭିଯୋଗ ଆସିବା ଆରମ୍ଭ ହୋଇଥିଲା । ୟୁଜର୍ସ ହ୍ୱାଟସଆପରେ ମେସେଜ୍ ପଠାଇ ପାରିନଥିଲେ କି ସେମାନଙ୍କ ନିକଟକୁ କୌଣସି ମେସେଜ୍ ଆସିନଥିଲା । ଏଥିସହିତ ପପୁଲାର ଚାଟବୋଟ ଚାଟଜିପିଟି ଓ ଓପନଏଆଇର ଏପିଆଇ ଓ ସୋରା ଭିଡିଓ ଜେନେରେଟର ପ୍ଲାଟଫର୍ମରେ ମଧ୍ୟ ସେବାରେ ବାଧା ସୃଷ୍ଟି ହୋଇଥିଲା ।

ମେଟାର ୪ଟି ଲୋକପ୍ରିୟ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଦେଖାଯାଇଥିବା ଆଉଟେଜ୍ କାରଣରୁ ୟୁଜର୍ସ ପାଖାପାଖି ୧ ଘଣ୍ଟା ଧରି ସମସ୍ୟାର ସାମ୍ନା କରିଥିଲେ । ରାତି ପାଖାପାଖି ୨ଟା ସମୟରେ ମେଟା ଆଉଟେଜ୍ ସମସ୍ୟାର ସମାଧାନ ହୋଇଥିଲା । ତା’ପରେ ୟୁଜର୍ସ ପୁଣି ସେମାନଙ୍କର ସୋସିଆଲ ମିଡ଼ିଆକୁ ବିନା ସମସ୍ୟାରେ ବ୍ୟବହାର କରିପାରିଥିଲେ । ଏହି ଆଉଟେଜ୍ ସମୟରେ ୟୁଜର୍ସ ମୀମ୍ସ, ଭିହିଓ ଓ ଓପିନିୟମ ମାଧ୍ୟମରେ ମେଟା ଓ ମାର୍କ ଜୁକରବର୍ଗଙ୍କୁ ଟ୍ରୋଲ କରିଥିଲେ । ଏହି ଗ୍ଲୋବାଲ ଆଉଟେଜ ବାବଦରେ କମ୍ପାନୀ ଅବଗତ ଅଛି ଓ ବିଭିନ୍ନ ସୋସିଆଲ ମିଡ଼ିଆ ପ୍ଲାଟଫର୍ମକୁ ରିଷ୍ଟୋର କରିବା ପାଇଁ କାମ ଜାରି ରହିଥିବା ମେଟା ପକ୍ଷରୁ ଏକ୍ସ’ରେ ଏକ ବୟାନ ଜାରି କରାଯାଇଥିଲା ।