ଜୁନ୍ ୧୫ରୁ ଆରମ୍ଭ ହେବ NEET PG 2025 ପରୀକ୍ଷା: ଘୋଷଣା ହେଲା ପରୀକ୍ଷାର ସମ୍ଭାବ୍ୟ ତାରିଖ

ନୂଆଦିଲ୍ଲୀ: ନ୍ୟାସନାଲ ବୋର୍ଡ ଅଫ୍ ଏଗଜାମିନେସନ, ମେଡିକାଲ ସାଇନ୍ସେସ (ଏନବିଇଏମଏସ) ତରଫରୁ ନୀଟ୍ ପିଜି ୨୦୨୫ ପରୀକ୍ଷାର ସମ୍ଭାବ୍ୟ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ଜୁନ୍ ୧୫ ତାରିଖରେ ସାରା ଦେଶରେ ପରୀକ୍ଷା ଆୟୋଜନ ହୋଇପାରେ । ବୋର୍ଡ ପକ୍ଷରୁ ନୀଟ ପିଜି ପାଇଁ ଇଣ୍ଟର୍ଣ୍ଣଶିପ ପୂରା କରିବାର ତାରିଖ ମଧ୍ୟ ଜାରି କରାଯାଇଛି । ଜୁଲାଇ ୩୧ ତାରିଖ ସୁଦ୍ଧା ଇଣ୍ଟର୍ଣ୍ଣଶିପ୍ ପୂରା କରିବାକୁ ତାରିଖ ନିର୍ଦ୍ଧାରିତ କରାଯାଇଛି ।

ନୀଟ ପିଜି ପରୀକ୍ଷାରେ ପାଖାପାଖି ୨ ଲକ୍ଷ ଏମବିବିଏସ ପାସ୍ ଛାତ୍ରଛାତ୍ରୀ ସାମିଲ ହୋଇଥାନ୍ତି । ୫୨ ହଜାର ମେଡିକାଲ ପିଜି ସିଟ୍ ପୂରଣ ପାଇଁ ପ୍ରତିବର୍ଷ ଏନବିଏଏମଏସ୍ ତରଫରୁ ନୀଟ ପିଜି ପରୀକ୍ଷାର ଆୟୋଜନ କରାଯାଇଥାଏ । ପରୀକ୍ଷାରେ ଏମବିବିଏସ ଡିଗ୍ରୀ ଓ ଇଣ୍ଟର୍ଣ୍ଣଶିପ୍ ପୂରା କରୁଥିବା ପ୍ରାର୍ଥମାନେ ସାମିଲ ହୋଇଥାନ୍ତି । ବୋର୍ଡ ପକ୍ଷରୁ ସମ୍ଭାବ୍ୟ ପରୀକ୍ଷା ତାରିଖ ଜାରି କରାଯାଇଥିବା ବେଳେ ସେଥିରେ ପରିବର୍ତ୍ତନ କରାଯାଇପାରେ । ସେହିପରି ନୀଟ ପିଜି ୨୦୨୫ ପାଇଁ ଆସନ୍ତା ଏପ୍ରିଲ ମାସ ତୃତୀୟ ସପ୍ତାହରୁ ପଞ୍ଜୀକରଣ ଆରମ୍ଭ ହୋଇପାରେ । ପ୍ରାର୍ଥୀମାନେ ମେ ତୃତୀୟ ସପ୍ତା ସୁଦ୍ଧା ଆବେଦନ କରିପାରନ୍ତି । ତେବେ ଏବେ ବୋର୍ଡ ତରଫରୁ ରେଜିଷ୍ଟ୍ରେସନର ଶିଡ୍ୟୁଲ ଜାରି କରାଯାଇନାହିଁ ।