ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସିଛି ଏକ ବଡ଼ ଖବର । ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୂତୀଙ୍କ କାରକୁ ଗୋଟିଏ ଟ୍ରକ୍ ଧକ୍କା ଦେଇଥିବା ଜଣାପଡ଼ିଛି । ଏନେଇ ଥାନାରେ ଅଭିଯୋଗ ହେବା ପରେ କଟକର ମଧୂପାଟଣା ପୋଲିସ ଟ୍ରକ ଚାଳକଙ୍କୁ ଅଟକ ରଖିବା ସହ ତଦନ୍ତ ଜାରି ରଖିଛି । ତେବେ ସବୁଠାରୁ ବଡ଼ କଥା ହେଉଛି ଏହି ଦୁର୍ଘଟଣାରେ ଅଳ୍ପକେ ଦୂତୀଙ୍କ ଜୀବନ ବର୍ତ୍ତିଯାଇଛି । ମଧୁପାଟଣା ଥାନା ନିକଟସ୍ଥ ବ୍ରିଜ ତଳପଟ ରାସ୍ତାରେ ଏହି ଦୁର୍ଘଟଣା ଘଟିଥିଲା । ତେବେ ଦୁର୍ଘଟଣା ପରେ ଦୂତୀ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରହିଥିବା ଜଣାପଡ଼ିଛି ।
ସୂଚନା ମୁତାବକ, ଦୂତୀ ଓ ତାଙ୍କ ବନ୍ଧୁ ଗୁରୁବାର ଦିନ ସନ୍ଧ୍ୟା ୬ଟା ସମୟରେ କାର ଯୋଗେ ଯାଜପୁରରୁ ଭୁବନେଶ୍ୱର ଅଭିମୂଖେ ଆସୁଥିଲେ । ତେବେ କଟକର ଓଏମପି ଛକ ନିକଟରେ ଗୋଟିଏ ଟ୍ରକ ତାଙ୍କ ଗାଡ଼ିକୁ ଅତିକ୍ରମ କରିବାକୁ ଚେଷ୍ଟା କରିବା ସହ ଅଶାଳୀନ ଆଚରଣ କରିଥିଲା । ଏହାପରେ ଦୂତୀ ମଧୁପାଟଣା ବ୍ରିଜ ତଳେ ଟ୍ରକକୁ ଆଗକୁ ଯିବାକୁ ରାସ୍ତା ନଦେଇ ରାସ୍ତା ଉପରେ ଗାଡ଼ି ଛିଡ଼ା କରିଥିଲେ । ମାତ୍ର ଏହି ସମୟରେ ଟ୍ରକ ଚାଳକ ଜଣଙ୍କ ଡାହାଣ ପଟରୁ କାରକୁ ଧକ୍କାଦେଇ ଚାଲିଯିବାକୁ ପ୍ରୟାସ କରିଥିଲେ । ଏହାପରେ ଦୂତୀ ଉକ୍ତ ଟ୍ରକକୁ ପିଛା କରି କାଠଯୋଡ଼ି ପୋଲ ପୂର୍ବରୁ ଅଟକାଇବା ସହ ପୋଲିସକୁ ଜଣାଇଥିଲେ । ସେହିସ ମୟରେ ଅନ୍ୟ କିଛି ଟ୍ରକ ଚାଳକ ସେଠାରେ ପହଞ୍ଚିବା ସହ ଦୂତୀଙ୍କୁ ଖରାପ ବ୍ୟବହାର କରିଥିବା ଦୌଡ଼ରାଣୀ କହିଛନ୍ତି ।