ଜେଲରୁ ବାହାରିଲେ ପୁଷ୍ପାରାଜ, ଜାମିନ ସତ୍ତ୍ବେ ଥାନାରେ କାଟିଲେ ରାତି

ନୂଆଦିଲ୍ଲୀ: ପୁଷ୍ପା ୨: ଦି ରୁଲ୍ ପ୍ରିମିୟର ସମୟରେ ଦଳାଚକଟାରେ ମହିଳାଙ୍କର ମୃତ୍ୟୁ ମାମଲା । ଜେଲରେ କଟିଲା ପୁଷ୍ପାରାଜ ଓରଫ ଅଲ୍ଲୁ ଅର୍ଜୁନଙ୍କ ରାତି । ସକାଳୁ ଜେଲରୁ ବାହାରିଲେ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ । ଗତକାଲି ଅର୍ଥାତ୍ ଶୁକ୍ରବାର ଅଲ୍ଲୁଙ୍କୁ ଗିରଫ କରାଯାଇଥିଲା । ପଛ ଫାଟକ ଦେଇ ପୁଷ୍ପାରାଜ ଜେଲରୁ ବାହାରିଛନ୍ତି । ବାପା ଅଲ୍ଲୁ ଅରବିନ୍ଦ ଓ ଶ୍ୱଶୁର କଞ୍ଚାରାଲା ଚନ୍ଦ୍ରଶେଖର ରେଡ୍ଡୀ ଅଲ୍ଲୁଙ୍କୁ ଆଣିବାକୁ ଯାଇଥିଲେ ।

ଖବର ଅନୁସାରେ, ସୁପରଷ୍ଟାର ଅଲ୍ଲୁ ଅର୍ଜ୍ଜୁନଙ୍କ ଗିରଫଦାରୀକୁ ନେଇ ଦେଶବ୍ୟାପୀ ହଲଚଲ୍ ଦେଖାଯାଇଥିଲା । ଗତକାଲି ହିଁ ହାଇକୋର୍ଟ ତାଙ୍କୁ ଅନ୍ତରୀଣ ବେଲ୍ ପ୍ରଦାନ କରିଥିଲେ । କିନ୍ତୁ ତାଙ୍କୁ ଜେଲରୁ ଛଡାଯାଇନଥିଲା । ବର୍ତ୍ତମାନ ଏହାକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି । ଜାମିନ ମିଳିବା ସତ୍ତ୍ବେ କାହିଁକି ତାଙ୍କୁ ଜେଲରେ ରାତି ରଖାଗଲା ସେ ନେଇ ସମସ୍ତେ ଦ୍ବନ୍ଦରେ ରହିଛନ୍ତି । କିନ୍ତୁ ସୂଚନା ଅନୁସାରେ, ହାଇକୋର୍ଟରୁ ଜାମିନ୍ ପ୍ରଦାନ କରାଯାଇଥିଲେ ମଧ୍ୟ କିଛି ପ୍ରକ୍ରିୟାରେ ବିଳମ୍ବ କାରଣରୁ ତାଙ୍କୁ ରାତିରେ ଚଞ୍ଚଳଗୁଡା ଥାନାରେ ରଖାଯାଇଥିଲା । ତେବେ ସେ ଆଜି ଜେଲରୁ ମୁକୁଳିବା ସମୟରେ ତାଙ୍କର ଶହଶହ ଫ୍ୟାନ୍ସ ଜେଲ ବାହାରେ ଅପେକ୍ଷା କରିଥିବା ନଜର ଆସିଥିଲା । ଅନ୍ୟପଟେ ତାଙ୍କୁ ଜେଲରେ ରାତିରେ ରଖିବା କାରଣରୁ ଉତ୍ତର ଦେବାକୁ ପଡିବ ଏବଂ ଆବଶ୍ୟକ ସ୍ଥଳେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବୁ ବୋଲି ଅଲ୍ଲୁଙ୍କ ଓକିଲ କହିଛନ୍ତି ।